Categories: ଫୁରସତ

୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର

ବୋଗୋଟା: ନିଜ ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ମାମଲା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ହେଲେ ଏହା ଚର୍ଚ୍ଚାର ପରିସରକୁ ଆସିଥାଏ। ଯଦି ଏକ ପୁରୁଣା ପେଣ୍ଟିଂ ସହିତ ନିଜ ଚେହେରା ମେଳ ଖାଏ, ତେବେ ତାକୁ ଟାଇମ୍‌ ଟ୍ରାଭେଲର ମାନ୍ୟତା ଦିଆଯାଏ। ନିକଟରେ କଲମ୍ବିଆର ଜଣେ ମହିଳାଙ୍କ ସହିତ କିଛି ଏପରି ହୋଇଛି। ୪୩ ବର୍ଷୀୟା ଜେନି ସ୍ମିଥ୍‌ ଏକ ମିଡିଆକୁ କହିଛନ୍ତି, ତାଙ୍କ ଭଉଣୀ ତାଙ୍କୁ ଫେସବୁକ୍‌ ପୋଷ୍ଟର ଏକ ଲିଙ୍କ୍‌ ପଠାଇଥିଲେ। ଜୁନ୍‌ରେ କରାଯାଇଥିବା ଏହି ପୋଷ୍ଟ ବହୁତ ପୁରୁଣା। ହେଲେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେଥିରେ ପ୍ରସ୍ତୁତ ପେଣ୍ଟିଂ ଜେନିଙ୍କ ମୁହଁ ସହ ମିଶୁଥିଲା। ପରେ ସେ ଏହି ପେଣ୍ଟିଂ ବାବଦରେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କଲେ। ଅନେକ ପ୍ରଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନ ଥିଲା। ପରେ ଜାଣିପାରିଲେ କି, ସେହି ପେଣ୍ଟିଂ ଉତ୍ତର କରୋଲିନାର ସ୍ପ୍ରୁର୍ସ ପାଇନ୍‌ରେ ଅଛି। ଟିକ୍‌ଟକ୍‌ରେ କେହି ଜଣେ ସେଠାରେ ରହୁଥିବା ଜାଣିବାକୁ ପାଇଲେ। ହେଲେ ସେଠାରୁ ମଧ୍ୟ କିଛି ସାହାଯ୍ୟ ମିଳିଲାନି। ପରେ ସୋସିଆଲ ମିଡିଆର ଜଣେ ବ୍ୟକ୍ତି ସେହି ପାଖରେ ରହିବା ସହ ସେଠାକାର ପାଖ ଦୋକାନରେ ଏହି ପେଣ୍ଟିଂ ବିକ୍ରି ହୋଇଥିବା କହିଥିଲେ। ସେ ସେହି ପେଣ୍ଟିଂକୁ ୧୦ ଡଲାରରେ କିଣି ଜେନିଙ୍କୁ କୋରିଅର କରିଦେଲେ। ଜେନି ସେହି ପେଣ୍ଟିଂର ସମ୍ପୂର୍ଣ୍ଣ ନିଜ ଭଳି ଚେହେରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେହି ପେଣ୍ଟିଂକୁ ତିଆରି କରିଥିବା କଳାକାର ଷ୍ଟିଫେନ୍‌ ଫରିସ୍‌ଙ୍କ ବାବଦରେ ଜେନି ଅଧିକ ଜାଣିବାକୁ ଚେଷ୍ଟା କଲେ। ଯିଏ ଦିବଂଗତ ଚିତ୍ରକର ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ(୧୯୩୯-୧୯୪୫)ର ଏକ ଲଡ଼ାଖୁ ପାଇଲଟ୍‌ ଥିଲେ। ସେ ଆମେରିକା ବାୟୁସେନାରେ ଥିଲେ। ଏହାର ଅର୍ଥ ଏହି ପେଣ୍ଟିଂ ୭୮ ବର୍ଷ ପୁରୁଣା। ଏହି ପେଣ୍ଟିଂର ରହସ୍ୟ ଜାଣିବାକୁ ଜେନି ଚିତ୍ରକରଙ୍କ ନାତୁଣୀଙ୍କ ପାଖରେ ପହଞ୍ଚିଥିଲେ। ସେ ତାଙ୍କ ଜେଜେଙ୍କ ବାବଦରେ କହିଥିଲେ, ସେ କୌଣସି ବ୍ୟକ୍ତିଙ୍କୁ ଦେଖି ତାଙ୍କ ଚିତ୍ର ପ୍ରସ୍ତୁତ କରିଦେଉଥିଲେ।

Share