Advertisement

ବୃଦ୍ଧାଙ୍କ ଜୀବନ ରକ୍ଷାକଲେ ଫଟୋ ଖବରଦାତା

ଅନୁଗୋଳ,୨୦।୧(ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା କୁମଣ୍ଡ ଚଣ୍ଡିବଜାର ରେଳ ଧାରଣାରେ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ବୃଦ୍ଧାଙ୍କ ଜୀବନ ରକ୍ଷା କରିଛନ୍ତି‘ଧରିତ୍ରୀ’ର ଅନୁଗୋଳ ଫଟୋ ଖବରଦାତା ଜ୍ୟୋତିରଞ୍ଜନ ସାହୁ (ବୁବୁ)। କୌଶଳକ୍ରମେ ସେ ଟ୍ରେନ୍‌କୁ ରୋକିବା ସହ ଧାରଣା ମଧ୍ୟରେ ଶୋଇଥିବା ବୃଦ୍ଧାଙ୍କୁ ଟ୍ରେନ୍‌ ତଳୁ ଉଦ୍ଧାର କରି ମେଡିକାଲ ପଠାଇ ସାଧାରଣରେ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି।

ପ୍ରକାଶ ଯେ, ବଡ଼ତ୍ରିବିଡ଼ା ଅଞ୍ଚଳର ବୃଦ୍ଧା ଅନ୍ନପୂର୍ଣ୍ଣା ସାହୁ(୬୦) ପାରିବାରିକ କଳହରେ ଅତିଷ୍ଠ ହୋଇ ସକାଳେ ଅନୁଗୋଳ ସହରକୁ ଚାଲିଆସିଥିଲେ। ଆତ୍ମହତ୍ୟା ପାଇଁ ସେ ଚଣ୍ଡିବଜାର ଛକରେ ଥିବା ରେଳଧାରଣା ମଝିରେ ଶୋଇ ପଡ଼ିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ଉକ୍ତ ରେଳ ଧାରଣାରେ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଏକ ମାଲବାହୀ ଟ୍ରେନ୍‌ ଆସୁଥିବା ବେଳେ ଏହା ଦେଖି ସେହିବାଟ ଦେଇ ଯାଉଥିବା ଫଟୋ ଖବରଦାତା ବୁବୁ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍‌ ଅଟକାଇବାକୁ ଉଦ୍ୟମ କରିଥିଲେ। ଫଳରେ ଟ୍ରେନ୍‌ର ଗତି ଧିମା ହେବା ସହ ୨ଟି ଇଞ୍ଜିନ ଓ ୪ଟି ବଗି ବୃଦ୍ଧାଙ୍କ ଉପର ଦେଇ ଚାଲିଯାଇଥିଲା। ଟ୍ରେନ୍‌ ଅଟକିଯିବା ପରେ ତୁରନ୍ତ ବୁବୁ ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏହି ଖବର ପ୍ରଘଟ ହେବା ପରେ ସହରବାସୀ ବୁବୁଙ୍କୁ ପ୍ରଶଂସା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel