ଡିବିରି ଧୂଆଁରେ ଯୋଗୀଙ୍କ ଛବି

କଟକ ଅଫିସ, ୨୬ା୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଦୀପକ ବିଶ୍ୱାଳ ଚିତ୍ରକଳା ମାଧ୍ୟମରେ ଭିନ୍ନ ପ୍ରୟାସ କରିଛନ୍ତି। ସେ ଡିବିରି ଧୂଅଁାରେ ଯୋଗୀଙ୍କର ଛବି ଆଙ୍କିଛନ୍ତି। ଏହାକୁ ଆଙ୍କିବାରେ ସେ କୌଣସି କାନ୍‌ଭାସ୍‌, ରଙ୍ଗ କିମ୍ବା ତୂଳୀ ବ୍ୟବହାର କରିନାହାନ୍ତି। ଡିବିରିରୁ ବାହାରୁଥିବା ଧୂଆଁରୁ ଡବ୍ଲ୍ୟୁବିସି ବୋର୍ଡରେ ଯୋଗୀଙ୍କ ଛବି ଆଙ୍କିଛନ୍ତି। ଏଥିପାଇଁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ଏହା ବ୍ୟତୀତ କେବଳ କଳାରଙ୍ଗର ନୁହେଁ, ବିଭିନ୍ନ ରଙ୍ଗର ଧୂଆଁକୁ ବ୍ୟବହାର କରି ସେ ଅନେକ ଚିତ୍ର ଆଙ୍କିଛନ୍ତି। ଏପରି କି ଧୂଆଁକୁ ନେଇ ସେ ଗବେଷଣା ଜାରି ରଖିଛନ୍ତି। କେଉଁଥିରୁ କେଉଁ ରଙ୍ଗର ଧୂଆଁ ବାହାରୁଛି। ଅଧିକ ରଙ୍ଗର ଧୂଅଁା ବ୍ୟବହାର କରି ଚିତ୍ରକଳା ପ୍ରସ୍ତୁତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଏଥିସହ ଭାରତରେ ପ୍ରଥମ ଥର ପାଇଁ ଥ୍ରୀଡି ସ୍ମୋକ୍‌ ଆର୍ଟ ସେ ପ୍ରସ୍ତୁତ କରୁଛନ୍ତି। ଏନେଇ ଦୀପକ କହିଛନ୍ତି, ମୁଁ ପ୍ରସ୍ତୁତ କରିଥିବା ଛବିକୁ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଉପସ୍ଥାପନ କରିବାକୁ ଆଶା ରଖିଛି। ସୁଯୋଗ ମିଳିଲେ ନିଶ୍ଚିତ ଯିବି।

Share