Categories: ଜାତୀୟ

ସରକାର ଭାଙ୍ଗିବାକୁ ଚକ୍ରାନ୍ତ

ଜୟପୁର,୧୨ା୭(ପି.ଟି.): କରୋନା ମହାମାରୀ ଜନିତ ସଙ୍କଟ ସମୟରେ ରାଜସ୍ଥାନ ସରକାର ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର ଚଳାଇଛି। ରାଜ୍ୟରେ କ୍ଷମତାସୀନ ସରକାରର ପତନ ପାଇଁ ଭାଜପା ପକ୍ଷରୁ କଂଗ୍ରେସ ବିଧାୟକମାନଙ୍କୁ ୧୫ କୋଟି ଟଙ୍କା ଲେଖାଏ ଯଚାଯାଇଥିବା ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନର ସ୍ଥିତି ପାଇଁ ଶାସକ ଦଳ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦାୟୀ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ସରକାର ଭାଙ୍ଗିବା ଉଦ୍ୟମ ସମ୍ପର୍କରେ ବୟାନ ରେକର୍ଡ କରାଇବାକୁ ରାଜ୍ୟ ପୋଲିସ ଏସ୍‌ଓଜି ପକ୍ଷରୁ ମୁଖ୍ୟମନ୍ତ୍ରୀ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ନୋଟିସ କରାଯାଇଛି। ଏଥିସହିତ ସରକାରଙ୍କ ମୁଖ୍ୟ ହୁଇପ୍‌ ମହେଶ ଜୋଷୀଙ୍କୁ ମଧ୍ୟ ଅନୁରୂପ ନୋଟିସ ପଠାଯାଇଛି।
ଗେହଲଟ ସରକାରକୁ ଭାଙ୍ଗିବା ଲାଗି କେତେଜଣ କଂଗ୍ରେସ ବିଧାୟକଙ୍କ ସହ ଘୋଡାବେପାରରେ ସମ୍ପୃକ୍ତ ଥିବା ଦୁଇଜଣଙ୍କ ବିରୋଧରେ ଶୁକ୍ରବାର ଏତଲା ଦାଏର ପରେ ସେମାନଙ୍କୁ ରାଜସ୍ଥାନ ଏସ୍‌ଟିଏଫ୍‌ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଭରତ ମଲାନି ଓ ଅଶୋକ ସିଂ। ଖୁବ୍‌ଶୀଘ୍ର ପାଖାପାଖି ୧୨ ବିଧାୟକ ଓ ଅନ୍ୟମାନଙ୍କୁ ନୋଟିସ୍‌ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଗେହଲଟ କହିଥିଲେ, ସାରା ଦେଶରେ ମହାମାରୀ ସଙ୍କଟ ବେଳେ ଭାଜପା ନେତାମାନେ ମାନବିକତା ଭୁଲିଯାଇ ସରକାର ଭାଙ୍ଗିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ କଂଗ୍ରେସ ସମ୍ପୂର୍ଣ୍ଣ ୫ ବର୍ଷ ଶାସନ କରିବା ନିଶ୍ଚିତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ, ଉପନେତା ରାଜେନ୍ଦ୍ର ରାଠୋର, ଭାଜପା ରାଜ୍ୟ ସଭାପତି ସତୀଶ ପୁନିଆ ଦଳର କେନ୍ଦ୍ରୀୟ ନେତୃତ୍ୱ ସହ ମିଶି ସରକାର ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଚଳାଇଥିବା ସେ କହିଥିଲେ।

Share