Categories: ଜାତୀୟ

ନାବାଳିକା ମୃତ୍ୟୁକୁ ନେଇ ପଶ୍ଚିମବଙ୍ଗରେ ଥାନା ଜାଳିଦେଲେ

ନୂଆଦିଲ୍ଲୀ,୨୫ା୪: ପଶ୍ଚିମବଙ୍ଗର କାଲିୟାଗଞ୍ଜରେ ଜଣେ ନାବାଳିକାଙ୍କ ମୃତ୍ୟୁକୁ କେନ୍ଦ୍ରକରି ମଙ୍ଗଳବାର ଉତ୍ତ୍ୟକ୍ତ ଲୋକେ ଥାନା ଜାଳିଦେଇଛନ୍ତି। ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଭାଜପା ପକ୍ଷରୁ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉତ୍ତର ଦିନାଜପୁର ଜିଲାର ରାଇଗଞ୍ଜରେ ବିକ୍ଷୋଭକାରୀମାନେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ପରେ ପୁନର୍ବାର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଟେକାମାଡ଼ କରିବାରୁ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ପୋଲିସ ଲାଠିଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଭାଜପା ଉତ୍ତେଜନା ବଢ଼ାଇ ହିଂସା ସୃଷ୍ଟି କରାଉଥିବା ଶାସକ ଟିଏମ୍‌ସି ଅଭିଯୋଗ କରିଛି। ବିଷାକ୍ତ ଖାଦ୍ୟ ଖାଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ବୋଲି ପୋଲିସ କହୁଥିବାବେଳେ ଏହା ଏକ ବଳାତ୍କାର ହତ୍ୟା ବୋଲି ଭାଜପା ଦାବି କରିଛି। ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ କାଲିୟାଗଞ୍ଜରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା।

Share