କଣ୍ଠଶିଳ୍ପୀ ସୌରିନ୍‌ଙ୍କୁ ଗିରଫ ପାଇଁ ପୋଲିସ ଟିମ୍‌ ଗଠନ ହେବ

କଟକ,୧ା୯ (କାର୍ତ୍ତିକ ସାହୁ):ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କୁ ଗିରଫ କରିବା ପାଇଁ କମିଶନରେଟ୍‌ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ହାଇକୋର୍ଟରେ ସୌରିନ୍‌ଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ସହ ତାଙ୍କ ଉପରୁ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଫଳରେ ପୋଲିସ ପାଇଁ ମାମଲା ଆଗକୁ ବଢ଼ାଇବା ନିମନ୍ତେ ବାଟ ପରିଷ୍କାର ହୋଇଯାଇଛି। କମିଶନରେଟ୍‌ ପୋଲିସର ଜୋନ୍‌-୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ସୌରିନ୍‌ଙ୍କୁ ଗିରଫ କରିବା ପାଇଁ ଆଉ କୌଣସି ଅଦାଲତି ପ୍ରତିବନ୍ଧକ ନାହିଁ। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍‌ ଗଠନ ହେବ। ସେ ଏବେ କେଉଁଠି ରହୁଛନ୍ତି। ସେ ସମ୍ପର୍କରେ ଖବର ନିଆଯିବ। ତାଙ୍କ ବିଷୟରେ ସୂଚନା ମିଳିବା ପରେ ତାଙ୍କୁ ଗିରଫ କରିବା ପାଇଁ କଟକରୁ ଏକ ପୋଲିସ ଟିମ୍‌ ସେଠାକୁ ଯିବ। ତେବେ ଖୁବ୍‌ଶୀଘ୍ର ଏହା କରାଯିବା ପରେ ମାମଲାର ତଦନ୍ତ ଆଗକୁ ନିଆଯିବ ବୋଲି ଏସିପି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଜଗତପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହିତ ନିର୍ଯାତନା ଦେଉଥିଲେ। ଏ ନେଇ ଯୁବତୀ ଜଣଙ୍କ କଟକ ମହିଳା ଥାନାରେ ଜୁନ୍‌ ୧୨ରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ସୌରିନ୍‌ଙ୍କୁ ହାଜର ହେବା ପାଇଁ ନୋଟିସ୍‌ ଦେଇଥିଲା। ହେଲେ ସେ ହାଜର ହୋଇ ନ ଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ କୋଲକାତା ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲା। ଅପରପକ୍ଷରେ ଗିରଫଦାରିରୁ ବର୍ତ୍ତିବା ପାଇଁ ସୌରିନ୍‌ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି ସୌରିନ୍‌ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ। ଏଥିସହ ତାଙ୍କୁ ପ୍ରାଥମିକ ଅବସ୍ଥାରେ ଯୋଗାଇ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଥିଲେ।

Share