Categories: ଫୁରସତ

ଗରିବ ପିଲାଙ୍କ ପେଟ ବୁଝୁଥିବା ମା’

ଦିଲ୍ଲୀର ପଶ୍ଚିମ ବିହାରରେ ରୁହନ୍ତି ସରିତା କଶ୍ୟପ। ସେ ଜଣେ ସିଙ୍ଗଲ ମଦର। ପ୍ରଥମେ ଅଟୋମୋବାଇଲ ବିକ୍ରେତାଭାବେ ସେ କାମ କରୁଥିଲେ। ହେଲେ ଏହି କାମରେ ସେ ସନ୍ତୁଷ୍ଟ ନ ଥିଲେ। ତେଣୁ ଚାକିରି ଛାଡିଦେଲେ। ହାତରେ କିଛି କାମ ନ ଥିବାରୁ ନିଷ୍ପତ୍ତି ନେଲେ ହାତ ରନ୍ଧା ରାଜମା ଚାଓ୍ବଲ ବିକ୍ରି କରିବେ। ତେଣୁ ନିଜ ସ୍କୁଟିରେ ସେ ଝିଅର ଷ୍ଟଡି ଟେବୁଲ୍‌କୁ ସଂଯୋଗ କରି ତା’ ଉପରେ ରାଜ୍‌ମା ଚାଓ୍ବଲ କଣ୍ଟେନର୍‌ ରଖି ବାହାରିଥିଲେ ପିରା ଗଢି। ଭାବିଥିଲେ ଯଦି ରାଜମା ଚାଓ୍ବଲ ବିକ୍ରି ନ ହୁଏ ତେବେ ବାଣ୍ଟି ଦେଇ ଚାଲି ଆସିବେ। ହେଲେ ପ୍ରଥମ ଦିନରୁ ହିଁ ଲୋକେ ତାଙ୍କ ହାତ ରନ୍ଧା ରାଜ୍‌ମା ଚାଓ୍ବଲକୁ ପସନ୍ଦ କଲେ। ଲୋକେ ଖୁସିରେ ଖାଇବା ସହ ଅନେକେ ପ୍ୟାକ୍‌ କରି ଘରକୁ ବି ନେଲେ। ଆଉ ଯାହା ବଳକା ହେଇଥିଲା ସେଦିନ ସେ ଗରିବ ପିଲାଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଯେଉଁଥିରେ ସେ ଆତ୍ମସନ୍ତୋଷ ପାଇଥିଲେ। ଏହାପରେ ସେ ନିଷ୍ପତ୍ତି ନେଲେ ରାଜମା ଚାଓ୍ବଲକୁ ଯିଏ ପଇସା ଦେଇ ଖାଇପାରିବ ତାଙ୍କୁ ଦେବେ, ଯିଏ ଅଳ୍ପ ଟଙ୍କା ଦେବେ ତାକୁ ବି ସେ ଖାଇବାକୁ ଦେବେ ଓ ଯିଏ ଜମାରୁ ନ ଦେଇ ପାରିବ ତାକୁ ବି ସେ ଖାଲି ପେଟ ଛାଡିବେନି। ଏହି ନୀତିରେ ସେ ଦୀର୍ଘ ୨୦ ବର୍ଷ ହେବ ପିରା ଗଢି ଅଞ୍ଚଳରେ ରାଜମା ଚାଓ୍ବଲ ବିକ୍ରି କରୁଛନ୍ତି। ଆଉ ପଇସା ନ ଥିବା ଲୋକ ଓ ପିଲାଙ୍କୁ ମାଗଣାରେ ରାଜମା ଚାଓ୍ବଲ ଖୁଆଉଛନ୍ତି। ଫଳରେ ‘ଆଣ୍ଟି କା ଷ୍ଟଲ’ ଭାବେ ସେ ବେଶ୍‌ ପରିଚିତ ହୋଇପାରିଛନ୍ତି। କେବଳ ସେତିକି ନୁହେଁ ଭିକ ମାଗୁଥିବା ପିଲାଙ୍କୁ ସେ ଏଇ ସର୍ତ୍ତରେ ଖାଇବାକୁ ଦିଅନ୍ତି ଯେ, ଭିକ ମାଗିବା ବନ୍ଦ କରି ପଢିବା ଆରମ୍ଭ କଲେ ସେ ପ୍ରତିଦିନ ମାଗଣା ଖାଇବାକୁ ଦେବେ। ଏମିତି କରି ସେ ଅନେକ ପିଲାଙ୍କୁ ଭଲ ବାଟକୁ ବି ଆଣିଛନ୍ତି। ତା’ସହ ସେ ଗରିବ ପିଲାଙ୍କ ପାଇଁ ସ୍କୁଲ ଡ୍ରେସ୍‌, ବହି, ଜୋତା କିଣି ବି ବାଣ୍ଟି ଥାନ୍ତି।

Share