ଉତ୍ସବମୁଖର ପର୍ଯ୍ୟଟନସ୍ଥଳୀ

ଭୋଗରାଇ,୧।୧(ପ୍ରଦୀପ ଦାସ): ସୋମବାର ଇଂଲିଶ ନବବର୍ଷ। ଗାଁଠୁ ସହର ସବୁଠି ଉତ୍ସବମୁଖର। ମନ୍ଦିର, ମସ୍‌ଜିଦ ଓ ଗୀର୍ଜାରେ ଚାଲିଛି ବିଶେଷ ପୂଜାର୍ଚ୍ଚନା, ନମାଜପାଠ ଓ ଭକ୍ତି ଆରାଧନା। ସମୁଦ୍ରକୂଳ ଓ ପର୍ଯ୍ୟଟନସ୍ଥଳୀଗୁଡିକରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ। ଭୋଜିଭାତ, ମୃଦୁ ପାନୀୟରେ ଜମିଛି ଆସର। ରାସ୍ତାଘାଟ, ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହେଉଛି। ରବିବାର ସରକାରୀ ଛୁଟି ଥିବାରୁ ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ, ଚୌମୁଖ, ଡଗରା, ବାହାବଳପୁର, କଷାଫଳ, ଚାନ୍ଦିପୁର ସମୁଦ୍ରକୂଳକୁ ପର୍ଯ୍ୟଟକଙ୍କ ଆଗମନରେ ସମୁଦ୍ରକୁଳ ବେଳାଭୂମି ପାଲଟିଛି ମେଳାଭୂମି। ଝାଉଁ ଜଙ୍ଗଲରେ ପିକନିକ୍‌ ପାର୍ଟି ସହ ସମୁଦ୍ରରେ ଗାଧୋଇବା ଓ ସ୍ପିଡି ବୋଟରେ ବସି ୪ କି.ମି. ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯାଇ ଫେରିବା ମଜା ନେଇଛନ୍ତି ପର୍ଯ୍ୟଟକ। ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣି ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଚନ୍ଦନେଶ୍ୱର, ତାଳସାରୀ ଓଟିଡିସି ଓ ହୋଟେଲରେ ଅଧିକ ଭଡାରେ ରହିବାକୁ ବାଧ୍ୟ ହୋଇଛନ୍ତି। ଦୀଘାରେ ସହସ୍ରାଧିକ ହୋଟେଲ, ପାର୍କରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଦ୍ୟୁତ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇ ଆକର୍ଷିତ କରାଯାଇଛି। ବହୁସ୍ଥାନରେ ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷ ଆଗମନରେ ହୋଟେଲରେ ସାରା ରାତି ନାଚ ଗୀତର ଆୟୋଜନ ହୋଇଛି। ବହୁ ପର୍ଯ୍ୟଟକ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର, ଭୂଷୁଣ୍ଡେଶ୍ୱର, ମା’ ବାସୁଳୀ ପୀଠରେ ଭିଡ ଜମାଇଥିବାବେଳେ ଭକ୍ତମାନେ ନିଜ ପରିବାରର ମଙ୍ଗଳକାମନା କରିଛନ୍ତି।

Share