ଖତଖାଉଛି ପୋର୍ଟେବଲ୍‌ ହେଲ୍‌ଥ କେୟାର୍‌ ୟୁନିଟ୍‌

ବ୍ରହ୍ମପୁର,୧୮।୧୦(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ରୋଗୀ ସେବା ପାଇଁ ମାଳ ମାଳ କୋଠା ନିର୍ମାଣ ହୋଇଛି। କିନ୍ତୁ ନିମ୍ନମାନର କାମ ଯୋଗୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଛାତରୁ ପାଣି ଝରୁଛି। ଏବେ ମେଡିକାଲ ପରିସରରେ ଥିବା ପୋର୍ଟେବଲ୍‌ ହେଲଥ୍‌ କେୟାର୍‌ ୟୁନିଟ୍‌ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ସେଠାରେ ରୋଗୀ ରହୁ ନ ଥିବା ବେଳେ ପ୍ରତ୍ୟେକ ୟୁନିଟରେ ତାଲା ଝୁଲୁଛି। କେବଳ ସୁରକ୍ଷା କର୍ମୀ ଜଗି ରହୁଛନ୍ତି। ୟୁନିଟ୍‌ଗୁଡ଼ିକ ବ୍ୟବହାର ହେଉ ନଥିବାରୁ ସାମଗ୍ରୀ ଚୋରି ହେବାକୁ ଲାଗିଲାଣି। ଏଣୁ ଏଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ଏମ୍‌କେସିଜି ମେଡିକାଲର କର୍କଟ ରୋଗ ବିଭାଗ ପଛପଟେ ପୋର୍ଟେବଲ୍‌ ହେଲଥ୍‌ କେୟାର୍‌ ୟୁନିଟ୍‌ ରହିଛି। ସେଠାରେ ରୋଗୀଙ୍କ ପାଇଁ ୫୦ଟି ଶଯ୍ୟାର ବ୍ୟବସ୍ଥା ରହିଛି। ଡାକ୍ତର ଚାମ୍ବରଠାରୁ ଆରମ୍ଭ କରି ଡ୍ୟୁଟି ରୁମ୍‌, ସାଧାରଣ ଶଯ୍ୟା, ଆଇସିୟୁ ଭଳି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ୟୁନିଟ ଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସହିତ ରୋଗୀ ଚିକିତ୍ସା ପାଇଁ ଆବଶ୍ୟକ ସବୁ ସୁବିଧା ରହିଛି। କରୋନା ସମୟରେ ୨୦୨୧ ଡିସେମ୍ବର ୧୨ତାରିଖରେ ଏହାର ଉଦଘାଟନ କରାଯାଇଥିଲା। ଏହି ୟୁନିଟର କୋଠରିଗୁଡ଼ିକ ଅଲଗା ଅଲଗା ହୋଇଥିବାରୁ ଉଦ୍‌ଘାଟନ ପରେ ସେଠାରେ କରୋନା ଆକ୍ରାନ୍ତଙ୍କୁ ରଖାଯାଉଥିଲା। କୋଭିଡ୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବା ପରେ ରୋଗୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଥିଲା। କରୋନା ଥମିବା ପରେ ସେହି ୟୁନିଟକୁ ବିଶୋଧନ କରାଯାଇ କର୍କଟ ରୋଗ ବିଭାଗ କରାଯାଇଥିଲା। କାରଣ କର୍କଟ ରୋଗ ବିଭାଗର କୋଠାଟି ପୁରୁଣା ହୋଇଯାଇଥିବାରୁ ମରାମତି ପାଇଁ ରୋଗୀଙ୍କୁ ପୋର୍ଟେବଲ୍‌ ହେଲଥ୍‌ କେୟାର ୟୁନିଟରେ ରଖାଯାଇଥିଲା। ଏବେ ସେହି ୟୁନିଟରେ ଆଉ ରୋଗୀଙ୍କୁ ରଖାଯାଉ ନ ଥିବାରୁ ଅତ୍ୟାଧୁନିକ ୟୁନିଟ୍‌ ଏବେ ଖତ ଖାଉଛି। ଏପରକି ରାତିରେ ତାହା ଅସାମାଜିକଙ୍କ ଆଡ଼ା ପାଲଟିଛି। ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ୟୁନିଟର ରକ୍ଷଣାବେକ୍ଷଣ ନିହାତି ଆବଶ୍ୟକ ହୋଇପଡ଼ିଛି । ସେହି ୟୁନିଟ୍‌ ଡାକ୍ତରଖାନା ପରିସରରେ ଥିଲେ ସୁଦ୍ଧା ଅଲଗା ହୋଇ ରହିଛି। ସେଠାରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗରେ ଆକ୍ରାନ୍ତ ସଂକ୍ରମିତଙ୍କୁ ପୃଥକବାସରେ ରଖାଯିବାକୁ ଯୋଜନା କରାଯାଇଛି। କିନ୍ତୁ ତାହା ବ୍ୟବହାର ହେଉ ନଥିବାରୁ ନଷ୍ଟ ହେବାକୁ ଲାଗିଲାଣି। ତାହା କାର୍ଯ୍ୟକ୍ଷମ ନହେଲେ ସୁଦ୍ଧା ରକ୍ଷଣାବେକ୍ଷଣ ଦିଗକୁ ଧ୍ୟାନ ଦେବାକୁ ଦାବି ହୋଇଛି। ଏନେଇ ଏମକେସିଜି ଅଧୀକ୍ଷକ ଡ. ସୁଚିତ୍ରା ଦାଶ କହିଛନ୍ତି ପୋର୍ଟେବଲ୍‌ ହେଲଥ କେୟାର୍‌ ୟୁନିଟ୍‌ ଦୀର୍ଘଦିନ ହେଲା ବନ୍ଦ ପଡିଛି। ତାହାକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।