ଉଦଳା,୨୨।୩ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଣ୍ଡାଚିରା ଗ୍ରାମରେ ପାରିବାରିକ କଳହରୁ ଗର୍ଭବତୀ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗୋଲାପୀ ମୁର୍ମୁ। ପୋଲିସ ଅଭିଯୁକ୍ତ ସ୍ବାମୀ ଦାମ ମୁର୍ମୁଙ୍କ ସମେତ ଶାଶୁ, ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ସୋମବାର ରାତିରେ ଦାମ ଓ ଗୋଲାପୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ୩ ମାସର ଗର୍ଭବତୀ ଥିବା ଗୋଲାପୀଙ୍କ ପେଟକୁ ଦାମ ବାରମ୍ବାର ଗୋଇଠା ମାରିଥିଲେ। ଫଳରେ ଗୋଲାପୀ ଚିତ୍କାର କରିବା ସହିତ ଗୁରୁତର ହୋଇ ପଡ଼ିିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ଉଦଳା ପୋଲିସ ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୋଲାପୀଙ୍କ ବାପଘର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା(ନଂ.୮୧/୨୩) ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ଦେଢ଼ ବର୍ଷ ତଳେ ଗୋଲାପୀ ଏବଂ ଦାମ ପ୍ରେମ ବିବାହ କରିଥିଲେ।