ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ସମ୍ବଲପୁର,୨୧।୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମର ମଙ୍ଗଳୁ ଶବର ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ମାମଲାକୁ ଚପାଇଦେବାକୁ ଚେଷ୍ଟାକରି ସେ ଜଙ୍ଗଲ ଭିତରେ ପୋତି ଦେଇଥିବା ମୃତଦେହ ୪ଦିନ ପରେ ଜବତ ହୋଇଛି। ଯୁଯୁମୁରା ଅତିରିକ୍ତ ତହସିଲଦାର ମମତା ନନ୍ଦଙ୍କ ଉପସ୍ଥିତିରେ ଗଳିତ ମୃତଦେହ ମିଳିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେରଙ୍କ ସହ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିଥିଲେ। ପଦ୍ମିନୀଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମଙ୍ଗଳୁଙ୍କୁ କୋର୍ଟ ଚାଲାଣ କରିଛି। ଗଇଲଗୁଡି ଗ୍ରାମର ମଙ୍ଗଳୁ ଓ ପଦ୍ମିନୀଙ୍କ ଗୋଟିଏ ପୁଅ ଓ ୩ ଝିଅ ଅଛନ୍ତି। ପଦ୍ମିନୀ ପୁଣି ଥରେ ଗର୍ଭବତୀ ଥିବାର ଜାଣିବା ପରେ ଗର୍ଭନଷ୍ଟ କରିବାକୁ ଉଭୟେ ସ୍ଥିର କରିଥିଲେ। ଉଦ୍ୟମ ପରେ ବି ଗର୍ଭ ନଷ୍ଟ ନ ହେବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା। ଅଗଷ୍ଟ ୧୫ରେ ଦମ୍ପତି ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିଲେ। ସେଠାରେ ଗର୍ଭନଷ୍ଟ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ନିଶାସକ୍ତ ମଙ୍ଗଳୁ ପଦ୍ମିନୀଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ଜଙ୍ଗଲରେ ଛାଡି ଘରକୁ ଫେରି ଆସିଥିଲେ। ପୁଣି ରାତିରେ ସେ ଜଙ୍ଗଲକୁ ଯାଇ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପଦ୍ମିନୀ ଉଠିପାରି ନ ଥିଲେ। ସାରା ରାତି ଜୀବନ ସହ ସଂଗ୍ରାମ କରି ତାଙ୍କର ମୃତ୍ୟୁ ଘଟିଥିଲା। ମାମଲାକୁ ଚପାଇବା ପାଇଁ ପରଦିନ ଅଗଷ୍ଟ ୧୬ରେ ମଙ୍ଗଳୁ ଘରୁ କୋଦାଳ ନେଇ ମାଟି ଖୋଳି ପଦ୍ମିନୀଙ୍କ ମୃତଦେହ ପୋତି ଦେଇଥିଲେ। ୧୮ ତାରିଖରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳ ଓ ଗ୍ରାମକୁ ଯାଇ ତଦନ୍ତ କରିବା ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ପୋଲିସ ୧୯ ତାରିଖରେ ମଙ୍ଗଳଙ୍କୁ ଗିରଫ କରିଥିଲା। ପଚରାଉଚୁରା ବେଳେ ସେ ହତ୍ୟା କରିଥିବା ସ୍ବୀକାର କରିଥିଲେ।

Share