Advertisement

ରାତି ୧୨ରେ ଉଠିବ ମହାଦୀପ

ଶରଣକୁଳ,୨୬ା୧(ଡି.ଏନ.ଏ.): ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ଜାଗର ଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ ଜିଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ଗଁା ତହସିଲଦାର ବିଜୟିତା ସାମନ୍ତସିଂହାର, ଶରଣକୁଳ ଏସ୍‌ଡିପିଓ କରିଣ ହେମ୍ବ୍ରମ୍‌, ଜିଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ସମିତି ସଭ୍ୟ ଭାଗବତ ସେଠୀ, ପ୍ରତୀକ ମହାପାତ୍ର, ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶକ ଭାସ୍କର ମହାପାତ୍ର, ନୟାଗଡ ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ, ମନ୍ଦିର ପରିଚାଳକ ସୁବାଷ ଚନ୍ଦ୍ର ବରାଡ, ଶୈବ ସେବାୟତ ସଂଘର ସଭାପତି ତ୍ରିଲୋଚନ ମହାପାତ୍ର ପ୍ରମୁଖ ଯୋଗଦେଇ ନିଜସ୍ବ ମତ ଉପସ୍ଥାପନ କରିଥିଲେ।

ଆସନ୍ତା ୧୮ରେ ହେବାକୁ ଥିବା ଜାଗର ଯାତ୍ରାକୁ କିପରି ଶୃଙ୍ଖଳିତ ଭାବେ ପାଳନ କରାଯାଇପାରିବ ସେନେଇ ବିସ୍ତୁତ ଆଲୋଚନା ହୋଇଥିଲା। ଠାକୁରଙ୍କ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ନୀତିକାନ୍ତି ଓ ଯାତ୍ରୀ ଦର୍ଶନ ଶୃଙ୍ଖଳାରେ କରିବା ପାଇଁ ମନ୍ଦିର ପରିଚାଳକ, ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମହାଶିବରାତ୍ରୀ ଦିନ ଠାକୁରଙ୍କ ଅବକାଶ ନୀତି ରାତ୍ର ୧୨ଘଟିକାରୁ ଆରମ୍ଭ ହୋଇ ସକାଳ ପୂଜାନୀତି ଭୋର ୩ଟା ମଧ୍ୟରେ ସମ୍ପାଦିକ ହେବ। ଭୋର ୪ଟାରୁ ସନ୍ଧ୍ୟା ୬.୩୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ୬.୩୦ ରୁ ୭.୩୦ ସନ୍ଧ୍ୟା ପୂଜାନୀତି, ରାତ୍ର ୭.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଏବଂ ରାତ୍ର ୧୦.୩୦ ଠାରୁ ମହାଶିବରାତ୍ରୀ ବେଢା ପରିକ୍ରମା ହୋଇ ରାତ୍ର ୧୨ଟା ମଧ୍ୟରେ ମହାଦୀପ ଉଠିବ। ଏହାପରେ ଅନ୍ୟାନ୍ୟ ଦେବନୀତି ସମ୍ପନ୍ନ କରାଯାଇ ମନ୍ଦିର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share