ଜେଲରେ ନିଜ ଗୁପ୍ତାଙ୍ଗ କାଟିଲେ କଏଦୀ

ଭଦ୍ରକ, ୧।୧୦(ସନାତନ ରାଉତ)ଭଦ୍ରକ ଉପକାରାଗାରରେ ଶନିବାର ଜଣେ ବିଚାରାଧୀନ କଏଦୀ ଶୌଚାଳୟରେ ନିଜ ହାତ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ସେ ହେଲେ ତିହିଡ଼ି ଥାନା ଅଧୀନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ। ସେ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ସୁଶାନ୍ତ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଥିଲା। ଗତ ୨୪ ତାରିଖରେ ସୁଶାନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ ପରେ ବିଚାରାଧୀନ ବନ୍ଦୀ ଭାବେ ସେ ଭଦ୍ରକ ଜେଲରେ ଥିଲେ ବୋଲି ତିହିଡ଼ି ଥାନାଧିକାରୀ ମହମ୍ମଦ ହାଫିଜ୍‌ କହିଛନ୍ତି। ଦିନ ପ୍ରାୟ ଗୋଟାଏ ବେଳେ ସେ ଶୌଚାଳୟକୁ ଯାଇ ସେଠାରେ ତାଙ୍କ ବାମହାତ ଓ ଗୁପ୍ତାଙ୍ଗ କାଟି ଦେଇଥିଲେ। ପରେ ଯନ୍ତ୍ରଣା ସହି ନ ପାରି ଚିତ୍କାର କରିଥିଲେ। ଚିତ୍କାର ଶୁଣି ଜେଲ୍‌ କର୍ମଚାରୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମଶାଧୂପ ଷ୍ଟାଣ୍ଡରେ କାଟିଥିବା ସୁଶାନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ କହିବା ପରେ ଚାରିଆଡ଼େ ଖୋଜାଖୋଜି ସତ୍ତ୍ୱେ କୌଣସି ଧାରୁଆ ଅସ୍ତ୍ର ମିଳି ନ ଥିବା ଭଦ୍ରକ ଜେଲର ଋଷିନାଥ ନାୟକ କହିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜେଲର ଜଣାଇଛନ୍ତି।