କେନ୍ଦ୍ରାପଡ଼ା ଅଫିସି,୧୪।୯: କେନ୍ଦ୍ରାପଡ଼ା ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପୀତାମ୍ବର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି ।ଜେଲ କର୍ତ୍ତୃପକ୍ଷ ଏହା ହୃଦ୍ଘାତଜନିତ ବୋଲି ପ୍ରାଥମିକ ପର୍ଯ୍ୟାୟରେ ସୂଚନା ଦେଇଛନ୍ତି। ତେବେ ମୃତ ନାୟକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଆଲୋଚନା ହେଉଛି। କଏଦୀଙ୍କ ମୃତ୍ୟୁ ସମ୍ପର୍କରେ ଜେଲର ଶଶିକାନ୍ତ ମହାଳିକ କହିଛନ୍ତି ଯେ, ଭୋର ପ୍ରାୟ ୪ଟାରେ କଏଦୀ ନାୟକ ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇ ଛାଟିପିଟି ହୋଇଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ଜିଲାର ବହୁଚର୍ଚ୍ଚିତ ଆଳି ଥାନା ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ମାମଲାର ଶୁଣାଣି ଗତ ୧୬ ତାରିଖରେ ଶେଷ ହୋଇଥିଲା। ଏହି ମାମଲା (ଥାନା କେସ୍ ନଂ.୧୪୫/୧୬)ରେ ଜିଲା ଦୌରାଜଜ୍ ଗୋପାଳ ଚରଣ ବେହେରା ୮ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ୨୦୧୬ ଜୁନ୍ ୮ରେ ଚିତ୍ରସେନ ଘରୁ ବାହାରି ଆଳି ଯାଉଥିବା ବେଳେ ଚଣ୍ଡିବଜାର ଛକରେ ସୁମନ୍ତ, ସିଙ୍ଗିରି ଗ୍ରାମର କ୍ଷୀରୋଦ ଦାସ, ସଚ୍ଚିଦାନନ୍ଦ ପୃଷ୍ଟି, ବସନ୍ତ ସେଠୀ, ଅଳିହାର ପୀତାମ୍ବର ନାୟକ, ବେଲାରିର ଆଶିଷ ଦାସ, ରାଉତାର ସୁମନ୍ତ ପାଢ଼ୀ ଓ ମହାସାହାଣୀ ଗ୍ରାମର ବିଜୟ ନାୟକ ପ୍ରମୁଖ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚିତ୍ରସେନଙ୍କ ମୃତ୍ୟୁ ଘଟିଥିଲା।