ଘରୋଇ ଫାଇନାନ୍ସ କମ୍ପାନୀର ମୋଟରସାଇକେଲ ପୋଡ଼ିଦେଲେ ଦୁର୍ବୃତ୍ତ

ଟିକିରି,୨୮ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ସ୍ପନ୍ଦନା ଫାଇନାନ୍ସ ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀର ଅଫିସ ସାମ୍ନାରେ ଥିବା କର୍ମଚାରୀଙ୍କ ୧୨ଟି ମୋଟରସାଇକଲକୁ ରାତିରେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ରାତିରେ କର୍ମଚାରୀମାନେ ଶୋଇଥିବା ବେଳେ ଗେଟ୍‌ ବାହାର ପଟୁ ତାଲା ମାରି ବୁଧବାର ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଜଣେ କର୍ମଚାରୀଙ୍କ ନିଦ ଭାଙ୍ଗିବା ପରେ ଜାଣିପାରି ଅନ୍ୟମାନଙ୍କୁ ଉଠାଇଥିଲେ। ସେମାନେ ଉଠିବା ପରେ ବାହାରକୁ ଆସିବାକୁ ଚେଷ୍ଟା କରିବା ବେଳେ ବାହାର ପଟେ ତାଲା ପଡ଼ିଥିବାରୁ ବାହାରକୁ ଆସି ପାରି ନଥିଲେ। ଉପର ମହଲାର ଲୋକଙ୍କୁ ଜଣାଇବା ପରେ ସେମାନେ ଆସି ତାଲା ଖାଲିବା ପରେ ବାହାରକୁ  ଆସି ଦେଖିବା ବେଳକୁ ବାଇକ୍‌ଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଅନ୍ୟପଟେ କର୍ମଚାରୀମାନେ ଭିତରେ ଶୋଇଥିବା ବେଳେ ନିଆଁ ଧାସରେ ଶ୍ୱାସରୁଦ୍ଧ ଅବସ୍ଥାରେ ରହିଥିବା ବେଳେ ୫ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

Share