‘ଅଭିନୟ କରିବାକୁ ଚାହୁଁଥିଲେ ମୋତେ ବାହା ହୁଅ’

ମୁମ୍ବାଇ: ଗ୍ଲାମର ଦୁନିଆରେ କାମ କରିବା ପାଇଁ ଅଭିନେତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବଲିଉଡ୍‌ର ଜଣେ ଅଭିନେତ୍ରୀ କହିଛନ୍ତି। ଛୋଟ ପରଦାର ନୂଆ ଅଭିନେତ୍ରୀ ଆୟେଶା କପୁର ଏଭଳି ଏକ କଥାର ଖୁଲାସା କରିଛନ୍ତି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସେ କହିଥିଲେ, ତାଙ୍କୁ କାମ ଦେବା ବାହାନା କରି ତାଙ୍କୁ ଅନେକ ଥର ଭ୍ରମରେ ପକାଯାଇଛି। ଏପରିକି ଜଣେ ନିର୍ମାତା ତାଙ୍କୁ କହିଥିଲେ, ଯଦି ଅଭିନୟ କରିବ ତେବେ ମୋତେ ବିବାହ କରିବାକୁ ପଡ଼ିବ। ସେ ମନା କରିବାରୁ ତାଙ୍କୁ ଶୋ’ରୁ ବାହାର କରି ଦିଆଯାଇଥିଲା।

ଆୟେଶା ‘ଶେର୍‌ଦିଲ ଶେର୍ଗିଲ’ ଜରିଆରେ ଛୋଟ ପରଦାରେ ଡେବ୍ୟୁ କରିଛନ୍ତି। ଏହି ସିରିଏଲରେ ସେ ନିକି ଚରିତ୍ରରେ ଅଭିନୟ କରୁଛନ୍ତି, ଯାହାକୁ ଲୋକମାନେ ପସନ୍ଦ କରୁଛନ୍ତି। କିନ୍ତୁ ଶୁଣିବାକୁ ମିଳୁଛି ତାଙ୍କ ଭୂମିକାରେ କିଛି ପରିବର୍ତ୍ତନ ହେବ। ଶୋ’ରେ କେଉଁ ଟୁଇଷ୍ଟ ଏବଂ ଟର୍ନ ଦେଖାଯିବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ବହୁ ପରିଶ୍ରମ ପରେ ଆୟେଶା ଏକ ଭଲ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଟିଭିରେ ଡେବ୍ୟୁ ପୂର୍ବରୁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। କିଛି ନିର୍ମାତା ତାଙ୍କଠାରେ ଅଜବ ସର୍ତ୍ତ ରଖୁଥିଲେ। ସେ କହିଛନ୍ତି, ମୁଁ ମନା କରିବାରୁ ଅନେକ ଶୋ’ ଛାଡ଼ିଛି। ଯେହେତୁ ତାଙ୍କର ଇଚ୍ଛା ଥିଲା ସେ ଅଭିନେତ୍ରୀ ହେବାକୁ ଚାହାନ୍ତି ତେଣୁ ତାଙ୍କର ଏହି ଯାତ୍ରା ସେ ଶେଷ କରିନାହାନ୍ତି। ବହୁ ସଂଘର୍ଷ ପରେ ତାଙ୍କୁ ଟିଭିରେ ଅଭିନୟ କରିବାର ସୁଯୋଗ ମିଳିଛି। ସେ ବହୁତ ଖୁସି ଥିବା କହିଛନ୍ତି।

Share