କଟକ ଅଫିସ,୨୪ା୧୨:ପରୀ ହତ୍ୟା ତଦନ୍ତର ଦିଗ ବାରମ୍ବାର ବଦଳୁଛି। ଗତ ନଭେମ୍ବର ୨୫ରେ ବିଧାସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖି ମେଡିକାଲ ତଥ୍ୟ ଯାଞ୍ଚ ଆଧାରରେ ବଳାତ୍କାର ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି କହିଥିଲେ। କିନ୍ତୁ ଡିସେମ୍ବର ୨୨ରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଖବରଦାତା ସମ୍ମିଳନୀରେ ପରୀକୁ ପ୍ରଥମେ ହତ୍ୟା ଓ ପରେ ବଳାତ୍କାର କରାଯାଇଥିବା କହିଛନ୍ତି। ତେଣୁ ସେତେବେଳେ ଓ ଏବେକାର ମେଡିକାଲ ଟେଷ୍ଟ କରିଥିବା ଡାକ୍ତର ଏବଂ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଭାରତୀୟ ବିକାଶ ପରିଷଦ ତରଫରୁ ବୁଧବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ଡବ୍ଳ୍ୟୁପିସି ୩୨୯୫୫) ରୁଜୁ ହୋଇଛି। ସେହିପରି ଯଦି ବର୍ତ୍ତମାନ ଏସ୍ଆଇଟି ଦ୍ୱାରା ଚିହ୍ନଟ ହୋଇଥିବା ଅଭିଯୁକ୍ତ ଘଟଣାଦିନ ପରୀ ମରଶରୀରକୁ ପୋଖରୀ ନିକଟରେ ଅଖାରେ ବାନ୍ଧି ଫିଙ୍ଗି ଦେଇଥିଲେ, ତେବେ ପୋଲିସ ଓ ସନ୍ଧାନୀ କୁକୁର ସେହି ସ୍ଥାନକୁ ବାରମ୍ବାର ତଦନ୍ତ ପାଇଁ ଆସିଥିବା ସତ୍ତ୍ବେ ନଷ୍ଟ ହୋଇ ଯାଇଥିବା ମରଶରୀରର ଗନ୍ଧ ଜାଣି ପାରିଲେନି କିପରି। ଏହାବ୍ୟତୀତ ପରୀଙ୍କ ମା’ ଓ ଅଭିଯୁକ୍ତ ସରୋଜ ସେଠୀଙ୍କ ମା’ ଶୈଳବାଳା ସେଠୀ କହିଛନ୍ତି ଯେ, ୧୦ଦିନ ପରେ ମରଶରୀରକୁ ଆଣି ସେଠାରେ ଫିଙ୍ଗା ଯାଇଛି। ପ୍ୟାକିଂ କରାଯାଇଥିବା ଅଖା ବ୍ୟାଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ତଦନ୍ତବେଳେ ଅଭିଯୁକ୍ତଙ୍କ ପରିବାରକୁ ଦୋଷ ସ୍ବୀକାର କରାଇବା ପାଇଁ ଏସ୍ଆଇଟି ପକ୍ଷରୁ ନାନାଦି ପ୍ରଲୋଭନ ଯଚାଯାଇଛି। ଏସ୍ଆଇଟିର ତଦନ୍ତ ଏକ ପ୍ରକାର ବାଟବଣା ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଏଜେନ୍ସି ଦ୍ୱାରା ତଦନ୍ତ ନ କରାଇ ସିବିଆଇ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ତରଫରୁ କୋର୍ଟରେ ନିବେଦନ କରାଯାଇଛି।