ହାଇକୋର୍ଟରେ ଗଛ କଟା ବିବାଦ

କଟକ ଅଫିସ, ୨ା୬: ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଗଛ କାଟିବା ତୁରନ୍ତ ବନ୍ଦ କରିବା ସହ କଟାଯାଇଥିବା ଗଛ ବାବଦରେ କ୍ଷତିପୂରଣ ଦେବାକୁ ସାମାଜିକ କର୍ମୀ ଜୟନ୍ତୀ ଦାସ ବୁଧବାର କୋର୍ଟରେ ପ୍ରାର୍ଥନା କରିଛନ୍ତି। ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ରାଜଧାନୀ ଭୁବନେଶ୍ୱର ୟୁନିଟ ୪ରେ ବିଧାୟକଙ୍କ ପାଇଁ ଅତ୍ୟାଧୁନିକ ସରକାରୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରବୀନ୍ଦ୍ର ମଣ୍ଡପ ନିକଟରୁ ପୋଲିସ କମିଶନର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶହଶହ ବହୁ ବର୍ଷ ପୁରୁଣା ଗଛ କଟାଯାଉଛି। ପ୍ରାୟ ହଜାର ଗଛ କାଟିବାକୁ ନିଷ୍ପତ୍ତି ନିଆଯାଇଛି। ରାଜଧାନୀକୁ ସବୁଜିମା ବଳୟରେ ରଖିବା ସହ ସୁରକ୍ଷା ଯୋଗାଉଥିବା ବୃକ୍ଷଗୁଡ଼ିକୁ ଏବେ କାଟି ସଫା କରାଯାଉଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବେ ଗଛ କଟାକୁ ବିରୋଧ କରି ଆନ୍ଦୋଳନ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ପରିବେଶବିତ୍‌, ସାମାଜିକ କର୍ମୀ, ରାଜନେତା ପ୍ରମୁଖ ଗଛକଟା ସ୍ଥଳରେ ଧାରଣା ଦେବା ସହ ଗଛ କଟା ତୁରନ୍ତ ବନ୍ଦ କରି ଭୁବନେଶ୍ୱରକୁ ବଞ୍ଚାଇବାକୁ ଦାବି କରିଛନ୍ତି।