‘ସୈନିକଙ୍କ ପାଇଁ ରାଖୀଟିଏ’

ବାଲେଶ୍ୱର ଅଫିସ,୧୦।୮: ବାଲେଶ୍ୱର ଜିଲାର ବିଭିନ୍ନ ମହାବିଦ୍ୟାଳୟର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରଷଦ (ଏବିଭିପି) ୟୁନିଟର ସଭାପତିଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ ପାଇଁ ‘ସୈନିକଙ୍କ ପାଇଁ ରାଖୀଟିଏ’ କାର୍ଯକ୍ରମ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ସମସ୍ତ ରାକ୍ଷୀକୁ ମଙ୍ଗଳବାର ଭାରତୀୟ ଡ଼ାକ ସେବା ମାଧ୍ୟମରେ ପଠାଇଛନ୍ତି। ପବିତ୍ର ରାଖୀ ପୂର୍ଣ୍ଣମୀ ଅବସରରେ ଏବିଭିପି ସଙ୍ଗଠନର ଛାତ୍ରୀଛାତ୍ରମାନେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଏକ ନିଆରା ପ୍ରୟାସ କରିଛନ୍ତି। ବିଦ୍ୟାର୍ଥୀମାନେ ବିଭିନ୍ନ ବିଭାଗ ଶ୍ରେଣୀରୁ ଓ ମହାବିଦ୍ୟାଳୟ ପରିସର ବୁଲି ବୁଲି ରାଖୀ ସଂଗ୍ରହ କରିଥିଲେ। ସୀମା ସୁରକ୍ଷାରେ ନିୟୋଜିତ ସୈନିକ ଭାଇମାନଙ୍କ ପାଇଁ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ କରିଥିଲେ। ବାଲେଶ୍ୱର ଜିଲାର ସମସ୍ତ ବିଦ୍ୟାର୍ଥୀ ସୀମାରେ ନିୟୋଜିତ ସୈନିକଙ୍କୁ ରାଖୀର ଶୁଭେଚ୍ଛା ଦେବା ସହ ସୈନିକମାନଙ୍କ ସୁରକ୍ଷା କାମନା କରିଛନ୍ତି। ରାକ୍ଷୀ ପଠାଇଲା ସମୟରେ ରାଜ୍ୟ ସହ ସମ୍ପାଦକ ଅରିଜିତ ପଟ୍ଟନାୟକ, ନଗର ସହ ସମ୍ପାଦକ ସତ୍ୟବ୍ରତ ମାଝି, ବିଭାଗ ଏସ୍‌ଏଫ୍‌ଡି ସଂଯୋଜକ ଫାଲଗୁନି ଦାସ, ଛାତ୍ରୀ ପୂର୍ଣ୍ଣସି ବାରିକ, ସ୍ବାତୀ ସାଗରିକା ଦେ, ରୋ଼ଶନି ବାରିକ ପ୍ରମୁଖ ଉପସ୍ଥିତ ଥିଲେ।