Categories: ଫୁରସତ

ପଶ୍ଚିମଘାଟରେ ଦୁର୍ଲଭ ନୀଳ ରଙ୍ଗର ପ୍ରଜାପତି

ଚେନ୍ନାଇ: ପ୍ରକୃତି ସବୁବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ତାମିଲନାଡୁ ମଦୁରାଇସ୍ଥିତ ଶ୍ରୀଭିଲିପୁଥୁର ମେଗାମଲାଇ ଟାଇଗର ରିଜର୍ଭ ମେଗାମଲାଇ ଡିଭିଜନରେ ସିଲଭରଲାଇନ ପ୍ରଜାପତିର ଏକ ନୂଆ ପ୍ରଜାତି ସନ୍ଧାନ କରାଯାଇଛି। ଯାହା ଦୀର୍ଘ ୩୩ ବର୍ଷ ପରେ ପଶ୍ଚିମଘାଟରେ ପ୍ରଜାପତିଙ୍କ ଏକ ନୂଆ ପ୍ରଜାତି। ବୈଜ୍ଞାନିକମାନେ ଏହି ପ୍ରଜାପତିର ବୈଜ୍ଞାନିକ ନାମ ‘ସିଗାରିଟିଜ୍‌ ମେଘାମଲାଇନ୍‌ସିସ୍‌’ ରଖିଛନ୍ତି। ରାଜ୍ୟର ପର୍ଯ୍ୟାବରଣ, ଜଳବାୟୁ ପରିବର୍ତ୍ତନ ଏବଂ ବନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ଏକ ବୟାନରେ କହିଛନ୍ତି, ଏହି ନୂଆ ପ୍ରଜାତି ପ୍ରଜାପତିର ନାମ ମେଗାମଲାଇ ନାମରେ ରଖାଯାଇଛି। ଯାହାର ଇଂଲିଶ ବନାନ କ୍ଲାଉଡ ମାଉଣ୍ଟେନ’। ଆଇଏଏସ୍‌ ଅଫିସର ସାହୁ ଏହି ପ୍ରଜାପତିର ଫଟୋ ନିକଟରେ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ବନ ବିଭାଗର ଅଧିକାରୀ କହିଛନ୍ତି, ଏହା ‘ଏଣ୍ଟାମନ’ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି। ବୈଜ୍ଞାନିକଙ୍କ ଏହି ସନ୍ଧାନ ସହ ପଶ୍ଚିମଘାଟରେ ପ୍ରଜାପତିଙ୍କ ପ୍ରଜାତି ସଂଖ୍ୟା ୩୩୭ରେ ପହଞ୍ଚିଛି। ଯେଉଁଥିରେ ୪୦ ସ୍ଥାନୀୟ ପ୍ରଜାତିର ପ୍ରଜାପତି ସାମିଲ ଅଛନ୍ତି,ଯାହାର ରଙ୍ଗ ଅତ୍ୟନ୍ତ ଉଜ୍ଜ୍ୱଳ ନୀଳ।

Share