Categories: ଜାତୀୟ

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଥ୍ରୋମ୍ବୋସିଟୋପେନିଆ ସିଣ୍ଡ୍ରୋମ୍‌ ରହିଥିବା ବ୍ରିଟିଶ ଔଷଧ କମ୍ପାନୀ ଲଣ୍ଡନର ଏକ ଅଦାଲତରେ ସ୍ବୀକାର କରିଛି। କୋଭିଶିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ବହୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଶ୍ନ ଉଠାଇବା ସହ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଅଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟି ଉକ୍ତ ଟିକାକୁ ବିକଶିତ କରିଥିବାବେଳେ ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏହା ଉତ୍ପାଦିତ ହୋଇଥିଲା।
ଟିଟିଏସ୍‌ କ’ଣ: ଟିଟିଏସ୍‌ ବା ଥ୍ରୋମ୍ବୋସିଟୋପେନିଆ ସିଣ୍ଡ୍ରୋମ୍‌ ହେଉଛି ଏକ ବିରଳ ସ୍ଥିତି ଯାହା ଦ୍ୱାରା ଶରୀରର ଅସାଧାରଣ ସ୍ଥାନରେ ରକ୍ତ ଜମାଟ ବାନ୍ଧିଯାଇଥାଏ। ଏଥିସହିତ ରକ୍ତର ପ୍ଲେଟ୍‌ରେଟ୍‌ ହ୍ରାସ ପାଇଥାଏ। ଏହା କମିଯିବା ବିପଜ୍ଜନକ ହୋଇପାରେ। କୋଭିଶିଲ୍ଡ, ଭାକ୍ସଜେଭ୍ରିଆ ଏବଂ ଜନ୍‌ସନ ଆଣ୍ଡ ଜନ୍‌ସନ କୋଭିଡ୍‌ ଟିକା ନେଇଥିବା ଲୋକଙ୍କଠାରେ ଉପରୋକ୍ତ ସ୍ଥିତି ଦେଖିବାକୁ ମିଳିଥିଲା। ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ଟିକା ସହ ପ୍ରତିକ୍ରିୟା କରି ଆଣ୍ଟିବଡି ସୃଷ୍ଟି କରିବା ଦ୍ୱାରା ଟିଟିଏସ୍‌ ସ୍ଥିତି ଦେଖାଦେଇଥାଏ। ଏହା ବ୍ଲଡ୍‌ କ୍ଲଟିଂରେ ସମ୍ପୃକ୍ତ ଏକ ପ୍ରୋଟିନ୍‌କୁ ଆକ୍ରମଣ କରିଥାଏ। ଏହି ବିରଳ ରକ୍ତ ଜମାଟ ମସ୍ତିଷ୍କ କିମ୍ବା ଆନ୍ତଃନାଳୀରେ, ଗୋଡ଼ରେ କିମ୍ବା ଫୁସ୍‌ଫୁସ୍‌ରେ ହୋଇପାରେ। ଜୋରରେ ମୁଣ୍ଡବିନ୍ଧା, ପାକସ୍ତଳୀରେ ଯନ୍ତ୍ରଣା, ଗୋଡ଼ ଫୁଲିବା, ନିଶ୍ୱାସ ନେବାରେ କଷ୍ଟ ହେବା ଆଦି ଟିଟିଏସ୍‌ର ଲକ୍ଷଣ।

Share