ଭୋଗରାଇ, ୧୯।୧୧(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଣ ଗଭୀର ସମୁଦ୍ରରୁ ଶୁକ୍ରବାର ପୁଣି ଏକ ବିରଳ ପ୍ରଜାତିର ସଙ୍କର ଚିଲ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଟ୍ରଲର ମାଲିକ ଏହି ମାଛକୁ ଦୀଘା ମାର୍କେଟ୍ ନିଲାମ କେନ୍ଦ୍ରକୁ ଆଣି ବିକ୍ରି କରିଛନ୍ତି। ଏହି ମାଛର ଓଜନ ୫ କୁଇଣ୍ଟାଲ ଓ ଦେଖିବାକୁ ଦୈତ୍ୟାକୃତି ଭଳି। କୋଲକାତାର ଏକ କମ୍ପାନୀ ମାଛକୁ ୨୦ହଜାର ଟଙ୍କାରେ କିଣି ନେଇଥିବା ସୂଚନା ମିଳିଛି। ଏହି ମାଛକୁ ଦେଖିବାକୁ ମାର୍କେଟ୍ରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ସଙ୍କର ଜାତୀୟ ମାଛ ସ୍ବାଦିଷ୍ଟ ହୋଇଥିବାରୁ ଜାତୀୟ ଓ ଆନ୍ତର୍ଜାତିକ ବଜାରରେ ବହୁ ଦାମ୍ରେ ବିକ୍ରି କରାଯାଉଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଦୀଘା ମୁହାଣ ମାଛ ମାର୍କେଟରେ ସାଢ଼େ ୫ କୁଇଣ୍ଟାଲର ଏକ ତେଲିଆ ଭୋଲା ମାଛ ନିଲାମ କରାଯାଇ ୨ଲକ୍ଷ ୭୦ ହଜାରରେ ବିକ୍ରି କରାଯାଇଥିଲା। କିଛିବର୍ଷ ପରେ ଏହି ବିରଳ ପ୍ରଜାତିର ମାଛ ଧରାଯାଇଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଗଭୀର ସମୁଦ୍ରରେ ଏଭଳି ବିରଳ ପ୍ରଜାତିର ମାଛ ଧରାଯାଉଥିବାରୁ ସାମୁଦ୍ରିକ ଜୀବ ବଂଶ ଲୋପପାଇବ ବୋଲି ଆଶଙ୍କା କରିଥିବା ସାମୁଦ୍ରିକ ବିଜ୍ଞାନୀମାନେ ମତ ପ୍ରକାଶ କରିଛନ୍ତି।