ଜାଲରେ ପଡ଼ିଲା ବିରଳ କଇଁଛ

କଟକ,୨୧।୮(ଶିଳ୍ପା ପ୍ରିୟଦର୍ଶିନୀ):ମହାନଦୀରେ ଜାଲରେ ପଡ଼ିଛି ବିରଳ କଇଁଛ। ତାହାକୁ ସ୍ଥାନୀୟ ବ୍ୟକ୍ତି ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ମଙ୍ଗଳବାର ସହରାଞ୍ଚଳ ବନ ବିଭାଗ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାନୁଯାୟୀ, ସୋମବାର ଜଣେ ବ୍ୟକ୍ତି ଯୋବ୍ରା ବ୍ୟାରେଜର ୨୯ ନମ୍ବର ଗେଟ୍‌ ପାଖ ମହାନଦୀରେ ମାଛ ଧରିବା ପାଇଁ ଜାଲ ପକାଉଥିଲେ। ଜାଲରେ ଏକ ବିରାଟ କଇଁଛ ପଡ଼ିଥିଲା। ସ୍ଥାନୀୟ ଜଗତପୁର ନିମପୁର ବସ୍ତିର ସମ୍ପୃକ୍ତ ବାସିନ୍ଦା କଇଁଛଟିକୁ ଖାଇବା ପାଇଁ ନେଇଯାଇଥିଲେ। ମଙ୍ଗଳବାର ଏ ସମ୍ପର୍କରେ ଖବର ପାଇ ସିଟି ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ରଶ୍ମିରେଖା ପଣ୍ଡା ସେଠାରେ ଚଢ଼ାଉ କରି କଇଁଛକୁ ଜବତ କରିଛନ୍ତି। ଏନେଇ ରେଞ୍ଜର ପଣ୍ଡା କହିଛନ୍ତି, ମୃତ କଇଁଛ ଜବତ କରାଯାଇଛି। ଏହା ବନ୍ୟାପାଣିରେ ସାତକୋଶିଆରୁ ଭାସିଆସିଥିବା ଅନୁମାନ କରାଯାଉଛି। ଏହା ଏକ ବିରଳ ସଫ୍ଟ ସେଲ୍‌ ପ୍ରଜାତିର କଇଁଛ। ଅଧିକ ଦୁର୍ଗନ୍ଧ ହେଉଥିବାରୁ ଏହାର ମୃତ୍ୟୁ ୨-୩ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ଅଟକ ରଖାଯାଇଥିବା ବ୍ୟକ୍ତିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ପଣ୍ଡା କହିଛନ୍ତି।