Categories: ଫୁରସତ

ସମ୍ପର୍କ ଭଲପାଇବାର

ଭଲପାଇବା, ସ୍ନେହ, ଆଦର କିଏ ବା ନ ଖୋଜେ। ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା। ହେଲେ ଅନେକ ସମୟରେ ମଣିଷମାନେ କୃତଘ୍ନ ହୋଇଯାଆନ୍ତି, ଭୁଲିଯାଆନ୍ତି ଉପକାର, ସ୍ନେହ ଆଦର। କିନ୍ତୁ ମୁହଁରେ ଭଲପାଏ ବୋଲି କହି ପାରୁ ନ ଥିବା ପଶୁପକ୍ଷୀ କିନ୍ତୁ ବେଶ୍‌ ବୁଝନ୍ତି ଭଲପାଇବାର ଭାଷା। ତାଙ୍କୁ ଟିକିଏ ଯିଏ ସ୍ନେହରେ ଆଉଁଶି ଦିଏ ସେମାନେ ପୂରା ତା’ର ହୋଇଯାଆନ୍ତି। ତାକୁ ପୋଷିଥିବା ମଣିଷ ଉପରକୁ କିଛି ବି ବିପଦ ଆସିଲେ ତାକୁ ନିଜ ଉପରକୁ ନେଇଯାଆନ୍ତି। ସୁଖ ଦୁଃଖରେ ସମଭାଗୀ ଏହି ନିରୀହ ଜୀବମାନେ ସମୟ ଆସିଲେ ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ। ଠିକ୍‌ ସେମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ପାଇଁ ନିଜ ପୋଷା ପ୍ରାଣୀ ଜୀବନ ପାଲଟିଯାଇଛନ୍ତି। ନିଜ ପିଲାଙ୍କ ପରି ସେମାନଙ୍କୁ ଲାଳନପାଳନ କରିଛନ୍ତି। ଅବଶ୍ୟ ପ୍ରତିବଦଳରେ ସେମାନେ ଠକି ଯାଇନାହାନ୍ତି, ସ୍ନେହ ଆଦର ପ୍ରତିବଦଳରେ ପାଇଛନ୍ତି ଅସରନ୍ତି ଭଲପାଇବା ଆଉ ବିଶ୍ୱାସ।

ଭାସ୍ବତୀଙ୍କ ସଂସାର: ଗୋଟେ କୁକୁଡ଼ା ଛୁଆ, ତା’ ନାଁ ମନୋରମା… ଗୋଟେ କାଉ ଛୁଆ ତା’ ନାଁ ଚିକିମିକି… ବେଶ କିଛି ବିଲେଇ…କିକି, ଗୁଣ୍ଠୁ, ଛୁଟକି, ମୋଟୀ, ପରପଲ ନାକୁଆ, ସୁନ୍ଦର ମୁହାଁ, ରାଜୁ, ଏମିତି ଏମିତି ଆହୁରି… ଗୋଟିଏ କୁକୁର (ଆଗରୁ ଦୁଇଟି ଦେଶୀ କୁକୁର ବି ଥିଲେ) କାଇଜର ଓରଫ କାଜୁ…. ଏମାନଙ୍କ ସହିତ ବାଘ, ହାତୀ, ମାଙ୍କଡ଼, ସାପ, ଛେଳି ବି ପାଳିବାର ଇଚ୍ଛା ଥିଲା ହେଲେ ଘର ଲୋକେ ରାଜି ହେଉନାହାନ୍ତି। ଆରମ୍ଭ କିନ୍ତୁ ବିଲେଇରୁ ହୋଇଥିଲା। ସାନ ବେଳୁ ବିଲେଇଙ୍କ ସହିତ ମୋର ଗୋଟେ ବିଶେଷ ସମ୍ପର୍କ ରହି ଆସିଛି। ବିଲେଇ ଛଡ଼ା ଚୁମକି(ଭାସ୍ବତୀ) ଆଉ ଚୁମକି ଛଡ଼ା ବିଲେଇ ପ୍ରାୟ ସମସ୍ତଙ୍କ କଳ୍ପନା ବାହାରେ ଥିଲା। ଘରର ଝରକା, ପାଚେରି, ଖଟ, ଚେୟାର ଏଭଳି ପ୍ରତିଟି ଜାଗାରେ ଗୋଟିଏ ଗୋଟିଏ ବିଲେଇ ସ୍ବମହିମାରେ ବିରାଜିତ ରହୁଥିଲେ। ସେ ବିଲେଇଙ୍କ ନାଁ ବି କିଛି କମ ନ ଥିଲା। କମଳା, ବିମଳା, ବିଜୁଳି ଏମିତି କେତେ କ’ଣ। ସେମାନେ ମୋ ଥାଳିରୁ ଖାଇବା ଚୋରାଉଥିଲେ ଆଉ ମୋ ଅତ୍ୟାଚାର ବି ସହୁଥିଲେ। ଅତ୍ୟାଚାର? ବହୁତ କରୁଥିଲି। ମୁଁ ଅବଶ୍ୟ ସେସବୁକୁ ଏକ୍ସପେରିମେଣ୍ଟ ବୋଲି ଭାବୁଥିଲି। ଆମେ ଦାନ୍ତ ଘଷୁ, ସେମାନେ କାହିଁକି ଘଷିବେନି? ତେଣୁ ଥରେ ଜଣଙ୍କ ପାଟିରେ ଟୁଥପେଷ୍ଟ ମାରିଦେଇଥିଲି। ଗୋଟେ ନୌକା ଭଳି ହେଅର କ୍ଲିପ ଥିଲା। ମାଆଙ୍କ ଓଦା ଶାଢିରୁ ସେଇଥିରେ ପାଣି ଚିପୁଡ଼ି ଜଣଙ୍କୁ ଜବରଦସ୍ତ ପିଆଉଥିଲି। ଥରେ ଜଣଙ୍କ ନିଶ କାଟି ଦେଇଥିଲି (ଝିଅ ବିଲେଇର ନିଶ କ’ଣ?)। ଆହୁରି କ’ଣ କ’ଣ କରୁଥିଲି ମନେ ନାହିଁ। ଯେତେ ବଡ଼ ହେଲି ସେତେ ଏସବୁ ଦୁର୍ବୁଦ୍ଧି କମି ଗଲା କିନ୍ତୁ ବିଲେଇ ପ୍ରୀତି କମିଲାନି।

ଏବେ ବି ଆମ ଘର ବିଲେଇଙ୍କ ପାଇଁ ଆଶ୍ରମ। ଏମିତି ବି ହୁଏ ଯେ କିଛି ଲୋକ ଆମ ଗେଟ ଭିତରେ ଲୁଚେଇକି ବିଲେଇ ଛୁଆ ଛାଡ଼ି ଦେଇ ଯାଆନ୍ତି। ସେ ଛୁଆମାନଙ୍କୁ ମୋ ଘର କୋଳେଇ ନିଏ। ସେମାନେ ବି ଆମକୁ ଭଲପାଇବାରେ ଭରି ଦିଅନ୍ତି। ଏଇ କିଛି ଦିନ ତଳେ ହିଁ ତ ଗୁଣ୍ଠୁ ଆମକୁ ସାପ ପାଖରୁ ରକ୍ଷା କରିବାକୁ ଯାଇ ନିଜେ ଚୋଟ ଖାଇଥିଲା। କେତେ ସାଲାଇନ ଆଉ ଇଞ୍ଜେକ୍ସନ ଯେ ତା’ ଦେହରେ ଫୋଡ଼ା ହେଲା… ତେବେ ଯାଇ ତା’ ଜୀବନ ବଞ୍ଚିଲା।

ପ୍ରାଣୀମାନଙ୍କ ସହାବସ୍ଥାନ ବି ମୋ ଘରେ ଅଦ୍ଭୁତ। ମୋ କୁକୁରର ଥାଳିରୁ ବିଲେଇ ଭାତ ଖାଇଯାଏ ଆଉ ସେ ବିଚରା ବିକଳରେ ମୋ ମୁହଁକୁ ଅନାଏ। ହେଲେ ବିଲେଇକୁ କିଛି ବି କୁହେନା। ଭାରି ସ୍ନେହୀ ମୋ କାଜୁ। ବାହାର କୁକୁରଙ୍କ ଆକ୍ରମଣରୁ ବିଲେଇଙ୍କୁ ରକ୍ଷା କରିବାର ଦାୟିତ୍ୱ ସେ ସ୍ବଇଚ୍ଛାରେ ନିଜ କାନ୍ଧକୁ ନେଇଛି। ଦିନ ସାରା ମୋ ଚାରିପଟେ ବୁଲିବ, ହେଲେ ବିଜୟ (ମୋ ସ୍ବାମୀ) ଆସିଲା କ୍ଷଣି ଆଉ ଯେମିତି ତା’ ବାବାଙ୍କ ଛଡ଼ା ସେ ଆଉ କାହାକୁ ଚିହ୍ନିନି। ବେଳେ ବେଳେ ଲାଗେ ଯେ କଥା କହି ପାରୁଥିଲେ ସେ ନିଶ୍ଚୟ ମୋ ନାଁରେ ତା’ ବାବାଙ୍କ ପାଖରେ ଚୁଗୁଲି କରିଥାନ୍ତା।

ଆମ ବଗିଚାର ଗୋଟିଏ ଗଛରେ କାଉ ବସା ବାନ୍ଧିଥିଲା। ସେ ବସାରୁ ଥରେ ଖସି ପଡ଼ିଲା କାଉ ଛୁଆଟିଏ। ଆମେ ବାରମ୍ବାର ତାକୁ ତା’ ବସାରେ ରଖିଲୁ, ହେଲେ ସେ ବାରମ୍ବାର ଖସି ପଡ଼ିଲା। ଦୁର୍ବଳ, ଛୋଟା ଛୁଆଟିକୁ ବୋଧହୁଏ କାଉ ଦମ୍ପତି ଜାଣିଶୁଣି ପକେଇ ଦଉଥିଲେ। ବାଧ୍ୟ ହୋଇ ତାକୁ ପାଳିଲୁ। ନାଁ ଦେଲୁ ଚିକିମିକି। ଭାରି ଶାନ୍ତ। କିନ୍ତୁ ତା’ ଇଚ୍ଛା ହେଲେ ରାତି ଅଧରେ ବି କା କା ଚିଲ୍ଲେଇ କାନ ଫଟେଇ ଦବ। ଭାରି ଦୁର୍ବଳ ଥିଲା ସେ। ବେଶି ଦିନ ବଞ୍ଚିଲାନି। ମୁଁ ତାକୁ ଏବେ ବି ଝୁରେ।

ଆଉ ଜଣେ ଥିଲା, ମନୋରମା। କେହି ଜଣେ ଦେଶୀ କୁକୁଡାଟିକୁ ଦେଇଥିଲା ମାଂସ କରି ଖାଇବା ପାଇଁ। ସେ କିନ୍ତୁ ଆମ ମୁଣ୍ଡ ଖାଇଗଲା। ଡୌଲ ଡାଉଲ ଚେହେରା ସାଙ୍ଗକୁ ରାଗି ରାଗି ଅହଙ୍କାରୀ ଚାହାଣି… ଆହା। ମତେ ହିଁ ଅଧିକ ଗୋଡ଼ାଉଥିଲା। ତା’ ଖୁମ୍ପା ଖାଇ ଖାଇ ମୋ ହାତ ଗୋଡ଼ ଫୁଲି ଗଲା। ବାଧ୍ୟ ହୋଇ ତାକୁ ଜଣେ ଆତ୍ମୀୟଙ୍କୁ ଦେଇ ଦେଲୁ। ଏବେ ସେଠି ସେ ମହାରାଣୀ ଭଳି ଅଛି।

ଆମ ଘରର ପୋଷ୍ୟମାନେ ଆମ ପରିବାରର ଅଂଶ। ବେଳେବେଳେ ସେମାନଙ୍କ ଭିତରୁ କେହି କେହି ଆମକୁ ଛାଡ଼ି ଚାଲିଯାନ୍ତି ଏକ ଅଜଣା ଦେଶକୁ। ତାଙ୍କ ମୃତଦେହ ପାଖରେ ବସି ଆମେ କାନ୍ଦୁ। ତାଙ୍କ ବିଚ୍ଛେଦ ସହିବାକୁ ପଡ଼େ। ଜୀବନର ନାଁ ତ ସହି ଚାଲିବା। ଆମେ କାହିଁକି ଭାବିବା ଯେ ସେମାନେ କେତେ ଅଳ୍ପ ସମୟ ଆମ ସହିତ ରହୁଛନ୍ତି ବୋଲି? ବରଂ ସେମାନଙ୍କ ଜୀବନର ସେଇ ଅଳ୍ପ କିଛି ବର୍ଷ ତ ତାଙ୍କର ଯତ୍ନ ନେଇପାରିବା। ସେମାନଙ୍କୁ ସ୍ନେହ ଦେଇପାରିବା।

ଏମାନେ ମୋ ପିଲା, ତାଙ୍କୁ ନେଇ ମୋ ଦୁନିଆ: ଗଦାଧର ମିଶ୍ର, ପେସାରେ ଅଧ୍ୟାପକ। ଏବେ ଅବସର ଗ୍ରହଣ ପରେ ରହୁଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁରର ବଳଭଦ୍ରପୁର ଶାସନରେ। ପତ୍ନୀଙ୍କର ପ୍ରାୟ ତିନିବର୍ଷ ପୂର୍ବେ ଦେହାନ୍ତ ହୋଇଯିବା ପରେ ତିନୋଟି ପିଲାଙ୍କୁ ନେଇ ତାଙ୍କ ସଂସାର। ପିଲା କହିଲେ, ଟିମା ଗଉଡ଼ୁଣୀ ତା’ ସାନ ଭଉଣୀ ଚୁଇଁ ଓ ଚୁଇଁର ପୁଅ ଭାଲୁ। ପ୍ରକୃତରେ ଏମାନେ ସମସ୍ତେ କୁକୁର। କିନ୍ତୁ ତାଙ୍କ ପାଇଁ କେବଳ ତାଙ୍କ ପିଲାମାନେ। ନିଜେ ଯେମିତି ସକାଳେ ଚୁଡ଼ା କଦଳୀ ଛେନା ଜଳଖିଆ କରନ୍ତି, ସେମାନଙ୍କ ପାଇଁ ସେମିତି ଜଳଖିଆର ବ୍ୟବସ୍ଥା କରନ୍ତି। ଖରାବେଳେ ଭାଇଙ୍କ ଘରେ ଯାଇ ଖାଇ ଆସନ୍ତି। ସେମାନେ ବି ତାଙ୍କ ସହିତ ଯାଆନ୍ତି। ଆଉ ରାତିରେ ସମସ୍ତଙ୍କ ପାଇଁ ରୁଟି, କ୍ଷୀର ପ୍ରସ୍ତୁତ କରିବାର ଦାୟିତ୍ୱ ନିଜେ ନେଇଛନ୍ତି। ପତ୍ନୀ ଯିବାପରେ ନିଜେ ଶିଖିଯାଇଛନ୍ତି ପିଲାମାନଙ୍କ ପାଇଁ ରୁଟି କରିବା। ସେଇମାନଙ୍କ ଖାଇବା ପିଇବା ବୁଝିବା ତାଙ୍କ ଦାୟିତ୍ୱ ନେବା ତାଙ୍କ ସହିତ ରହିବା ବୁଲିବାରେ ତାଙ୍କର ଖୁସି। ତାଙ୍କ ପାଇଁ ସେମାନେ ଗୃହପାଳିତ ନୁହେଁ କେବଳ ନିଜ ପିଲା। ପ୍ରଥମେ ୧୯୯୫ ମସିହାରେ ଗଦାଧର ବାବୁ ଗୋଟିଏ ଶୁଆ ଆଣି ରଖିଲେ, ତା’ ନଁା ରଖିଲେ ବାଇନ। ବାଇନ ରହିବାର କିଛିଦିନ ପରେ ତାଙ୍କର ଜଣେ ଛାତ୍ର ତାଙ୍କୁ ଆଣି ଦୁଇଟି କୁନି ଶୁଆ ଦେଲେ, ଭାଇ ଭଉଣୀ ସେମାନେ। ଜଣେ ସୋମ ଆଉ ଜଣେ ସୁମି। ସେମାନେ ତାଙ୍କୁ ବାପା ଆଉ ତାଙ୍କ ପତ୍ନୀଙ୍କୁ ମା’ ବୋଲି ଡାକନ୍ତି। ବାଇନ ମୋଟେ ପଞ୍ଜୁରିରେ ରହିବାକୁ ଭଲପାଏନି। ଗଦାଧର ବାବୁଙ୍କ ବିଶି ଅଙ୍ଗୁଳିରେ ବସି ବୁଲିବାକୁ ବେଶି ପସନ୍ଦ କରେ। ଗରମ ଲାଗିଲେ ଆସି ତାଙ୍କ ଛାତି ଉପରେ ବସି ଫ୍ୟାନ ପବନ ଖାଏ। ଏକ ଘଟଣା ମନେ ପକାଇ ଗଦାଧର ବାବୁ କୁହନ୍ତି, ‘୨୦୦୩ ମସିହାର କଥା। ମୁଁ ଏଫସିଆଇରେ ଲେକ୍‌ଚର ଥାଏ। ସେତେବେଳେ ଆମ ବଗିଚାରେ ୭୦-୮୦ଟା ଡାଲିଆ ଗଛ ଆଉ ବହୁତ ଗୁଡ଼େ ଗେଣ୍ଡୁ ଗଛରେ ଫୁଲ ଫୁଟିଥାଏ। ବାଇନ ମୋ ବିଶି ଅଙ୍ଗୁଳିରେ ବସି ବଗିଚା ବୁଲେ। ମୁଁ ତାକୁ କୁହେ, ‘ଏ ବଗିଚାରେ ଯେତେ ଡାଲିଆ ଫୁଲ ଯେତେ ଗେଣ୍ଡୁଫୁଲ ସବୁ ବାଇନର।’ ଏଇ କଥାରେ ବାଇନ ଖୁସି ହୋଇ ତା’ ଥଣ୍ଟରେ ଗେଲ କରି ପକାଇଲା। ସେମିତି କୁଆଡ଼େ ଗଲେ ସୋମ ଡାକ ଛାଡିବ- ‘ବାପା ବାପା’।

ବେଳେବେଳେ ଖରାଦିନେ ପାଚେରି ଭିତରେ ଥିବା ଟ୍ୟୁବ୍‌ଓ୍ବେଲରେ ମୁଁ ଗାଧୋଇବାବେଳେ ସୋମକୁ ଗରମ ହୁଏ ଆଉ ଡାକ ଛାଡ଼େ ବାପା ମୁଁ ଯିବି। ସୁମି ଟିକେ ଅଧିକ ଖାଏ ବୋଲି ଏମାନେ ବି ତାଙ୍କ ଭାଗରୁ ତାକୁ ଦେଇଦିଅନ୍ତି। ଥରଟେ ସୁମିର ନୂଆ ନୂଆ ପର କଅଁଳିଥାଏ। ସେ ଉଡ଼ିଗଲା ତିନିଦିନ ପରେ ଯାଇ ଫେରିଲା। ଆମର ତ ଖାଇବା ପିଇବା ଭଲରେ ନ ଥାଏ। ଏ ଦୁଇଜଣ ବି ଖାଉ ନ ଥାନ୍ତି। ସେ ଫେରିବା ଦିନ ଏମାନଙ୍କର ଯାହା ଖୁସି। ସେମିତି ବସି ସୁମିକୁ ଚାହୁଁଥାନ୍ତି। ଆଉ କ’ଣ ସବୁ କହିଯାଉଥାଆନ୍ତି। ନିଜର ଖାଇବା ବି ସୁମିକୁ ଦେଇଦେଲେ। ସୁମି ସେ ଦିନ ସାରା କାନ୍ଦିଛି। ଯେମିତି କେହି ମଣିଷ ପିଲା ହଜିଯାଇଥିବ ନିଜ ଘରକୁ ଫେରି ଆସିବା ପରେ କାନ୍ଦେ ଠିକ୍‌ ସେମିତି। ଏମାନଙ୍କ ଛଡ଼ା ସେତେବେଳେ କାଳି ଆଉ ତା’ ପୁଅ ଭାଲୁ ବି ରହୁଥିଲେ। ଏମାନେ ଦୁଇଜଣ କୁକୁର। ଭାଲୁକୁ କୁହାଯାଉଥିଲା ବାଇନ ହେଉଛି ତୋ ମାମୁ। ଥରେ ବାଇନ ଭାଲୁ ପାଟି ପାଖରେ ଖସିପଡ଼ିଲା। ମୋ ସ୍ତ୍ରୀ କହିଲେ, ଆଜି ବୋଧେ ବାଇନର ଜୀବନ ଗଲା। ହେଲେ ସେମିତି କିଛି ହେଲାନି। ଭାଲୁ ଟିକେ ଶୁଙ୍ଘିଦେଲା। ବାଇନର ବି ଟିକେ ଡର ନ ଥିଲା ଯେ ଭାଲୁ ତାକୁ ଖାଇଦେବ ବୋଲି। ଏମାନେ ସମସ୍ତେ ଖୁବ୍‌ ମିଳିମିଶି ରହୁଥିଲେ। ସୋମୁ ଆଉ ବାଇନକୁ ଖାଇବ ବୋଲି ବୋଡ଼ାସାପ ପଞ୍ଜୁରିକୁ ଯେତେଥର ଚଢିଛି କାଳି ହିଁି ସେମାନଙ୍କୁ ବଞ୍ଚେଇଛି। ବାଇନ ଘରେ ୧୯ ବର୍ଷ ରହିଛି। ସମସ୍ତେ ବୁଢ଼ା ହେବା ପରେ ହିଁ ମରିଛନ୍ତି। କେହି କୁଆଡ଼େ ଯାଇ ନାହାନ୍ତି। ଭାଲୁ ମରିବା ପରେ ପନ୍ଦର ଦିନ ମୁଁ ଖାଇନି। ତା’ର କ୍ରିୟାକର୍ମ କରିବାବେଳେ ମୁଁ କାନ୍ଦି କାନ୍ଦି କହୁଥିଲି, ଯଦି ପୁନର୍ଜନ୍ମ କିଛି ଥାଏ ତାହାହେଲେ ତୁ ମୋ ବାପା କି ମୁଁ ତୋ ପୁଅ ହୋଇ ଯେମିତି ହେଲେ ଜନ୍ମ ନେବା। ବୋଧହୁଏ ସେଇଥିପାଇଁ ଚୁଇଁର ପୁଅ ଭାଲୁ ରୂପରେ ପୁଣି ଫେରିଲା। ଆଉ ମୁଁ ତା’ ନାଁ ଦେଇଛି ଭାଲୁ ଆଉ ସେ ସେମିତି ଭାଲୁ ପରି ହିଁ ହେଉଛି। ଏଇମାନଙ୍କୁ ନେଇ ମୋ ଛୋଟିଆ ସଂସାର। ବଜାର ଗଲେ ମୋ ପାଖକୁ ଧାଇଁ ଆସିବେ ତାଙ୍କ ପାଇଁ କ’ଣ ଆସିଛି ବୋଲି। ସମସ୍ତଙ୍କ ପାଇଁ ମୁଁ ସବୁବେଳେ କିଛି ନା କିଛି ଆଣିଥାଏ। କାହାର ପିଜୁଳି କାହାର ବିସ୍କୁଟ ସମସ୍ତଙ୍କ ମନଲାଖି ଆସିଥାଏ। ମୋ ନଜରରେ ସେମାନେ ପଶୁପକ୍ଷୀ ନୁହନ୍ତି କେବଳ ମୋ ପିଲାମାନେ।

ଭଲ ପାଇବା କ’ଣ ତାଙ୍କଠୁ ଶିଖିବା କଥା: ପ୍ରଦୀପ ପଲାଇ। ଘର ଜିଜିପି କଲୋନୀ। ପେସାରେ ବ୍ୟବସାୟୀ। ଘରେ ପତ୍ନୀ, ଝିଅ, ପୁତୁରା, ପୁତୁରାବୋହୂଙ୍କ ଛଡ଼ା ଅଛନ୍ତି ଜ୍ୟାକି, ଜଗା, ରାମ, ବଳିଆ, ଚିଙ୍ଗୁଡ଼ି, ସିଟୁ, ଶୁଭ। ଏମାନେ ହେଉଛନ୍ତି କୁକୁର, ପାରା ଓ କୁକୁଡ଼ା। ଏଇମାନେ ହିଁ ତାଙ୍କ ପିଲା ତାଙ୍କ ପରିବାରର ଜଣେ ଜଣେ ସଦସ୍ୟ। ପ୍ରାୟ ୧୦ ବର୍ଷ ତଳେ ପ୍ରଦୀପଙ୍କ ପାଖରେ ପ୍ରଥମେ ଥିଲା ଜାନି। ଜର୍ମାନ ସେଫର୍ଡ ପ୍ରଜାତିର ଏହି କୁକୁରଟି ବେଶ୍‌ ବୁଝୁଥିଲା ତାଙ୍କ କଥା, ତାଙ୍କ ପରିବାର କଥା। ଖୁବ୍‌ ଶାନ୍ତ ଥିଲା ସେ। ଏବେ ସେ ଆଉ ନାହିଁ। ତା’ପରେ ଆସିଲା ଜ୍ୟାକି। ଯିଏ ଏବେ ଘଡିଏ ନ ରହିଲେ ତାଙ୍କ କାମ ଅଚଳ। ପ୍ରଦୀପ କୁହନ୍ତି, ‘ସକାଳ ଛଅରୁ ଜ୍ୟାକି ଉଠି ମୋ ସହ ଯାଏ ମର୍ନିଂଓ୍ବାକ୍‌। ସେଠାରେ ଫୁଟବଲ ଖେଳେ। ଜ୍ୟାକି ଆଉ ମୋ ସହିତ ଜଗା, ରାମ, ବଳିଆ ଆଦି ବି ଯାଆନ୍ତି। ଜ୍ୟାକି ପେପର ଆଣେ କ୍ଷୀର ଆଣେ। ମୋର ଫୋନ୍‌ ରିଂ ହେଲା କି ମୋର କୌଣସି ଜିନିଷ ଦରକାର ହେଲା ଜ୍ୟାକି ସବୁ ମୋ ପାଖରେ ଆଣି ଦେଇଦିଏ। ମୋର ସବୁ ବୋଲହାକ ଜ୍ୟାକି କରେ। ଦୋକାନ ବାହାରିଲେ ମୁଁ ବାଇକ୍‌ରେ ଯାଏ ଆଉ ମୋ ସହିତ ଉଡ଼ି ଉଡ଼ି ରାମ ଓ ଜଗା ବି ଯାଆନ୍ତି। ମୋ ସହିତ ଯାଇ ଦୋକାନରେ ରହିବେ ଆଉ ମୁଁ ଘରକୁ ଫେରିଲେ ମୋ ସହ ଆସିବେ। ମୁଁ ଯୁଆଡେ ଯାଏ ଏମାନେ ମୋ ସହ ବୁଲିବାକୁ ଯାଆନ୍ତି। ମୁଁ ଯେମିତି ଏମାନଙ୍କ ଦାୟିତ୍ୱ ନିଏ ଏମାନେ ବି ସେମିତି ମୋ କଥା ବୁଝନ୍ତି, ମୋ ପାଖେ ପାଖେ ରୁହନ୍ତି। ଏମାନେ ମୋତେ ଯେତିକି ଭଲପାଆନ୍ତି ଆମ ପରିବାରର ସମସ୍ତଙ୍କ କଥା ବି ଭାବନ୍ତି। ସେମାନଙ୍କର ପରସ୍ପର ଭିତରେ ଖୁବ୍‌ ଭଲପାଇବା ଅଛି। କୁକୁର, କୁକୁଡା, ପାରା କାହାର କାହା ପ୍ରତି ରାଗ କି ଈର୍ଷା ନାହିଁ। ମିଳିମିଶି ରୁହନ୍ତି। ଜ୍ୟାକି ଯଦି କେବେ କିଛି ଭୁଲ୍‌ କରିଥାଏ, ମୁଁ ଆସିଲେ କାଳେ ରାଗିବି ବୋଲି ମୋ ପତ୍ନୀଙ୍କର ଗୋଡ ଧରି ମତେ ଚାହୁଁଥିବ ଯେ, ମା’ ମୋତେ ବଞ୍ଚାଅ। ମୋ ପିଲାଙ୍କ ପରି ଜ୍ୟାକି, ଜଗା, ରାମଙ୍କର ବି ସେମିତି ସମାନ ଅଳି ଅଝଟ। ସେମିତି ଭଲ ପାଇବା ବି ସେମାନଙ୍କର ମୋ ପାଇଁ ା ସତ କହିଲେ ଭଲ ପାଇବା କ’ଣ ସେମାନଙ୍କଠାରୁ ଶିଖିବାର ଅଛି।

ମୋ ପୁଅ ଯେମିତି ସେମାନେ ବି ସେମିତି: ଶ୍ୟାମ ସୁନ୍ଦର ପଣ୍ଡା, ପୁରୀ ସୁଆର ସାହିରେ ଘର କିନ୍ତୁ ରହୁଛନ୍ତି ବଳିଆପଣ୍ଡାରେ। ଏବେ ଶ୍ୟାମ ସୁନ୍ଦରଙ୍କ ସଂସାର କହିଲେ ପତ୍ନୀ ଦୁଇ ପୁଅଙ୍କ ସହିତ ୧୫ଟି ବିଲେଇ, ୩ଟି କୁକୁର ଆଉ ଶୁଆ। ସମସ୍ତେ ତାଙ୍କ ପିଲା। ସେ କୁହନ୍ତି, ‘ପ୍ରଥମେ ୨୦୦୪ ମସିହାରେ ଗୋଟେ ବୁଲା କୁକୁର ଆସେ ତାଙ୍କ ଘର ସାମ୍ନାକୁ। ତାକୁ ଖାଇବା ପିଇବାକୁ ଦେବା ଭିତରେ ସେ ହୋଇଗଲା ଘରର ସଦସ୍ୟ। ତା’ର ଗୋଟେ ଛୁଆ ହେଲା। ତା’ପରେ ୨୦୦୭ ମସିହାରେ ସେ ଗୋଟେ ଜର୍ମାନ ସେଫର୍ଡ ଆଣିଲେ, ଯାହାର ୪ ଥରରେ ହେଲା ୧୬ଟି ଛୁଆ। ସେଥିରୁ ୪ଟିକୁ ରଖି ବାକି ସବୁ ଅନ୍ୟମାନଙ୍କୁ ଦେଇ ଦେଇଥିଲେ। ଏଇ ଭିତରେ ଦିନେ ଗୋଟେ ମା’ ବିଲେଇ ତାଙ୍କ ଘର ସାମ୍ନାରେ ୩ଟି ଛୁଆ ଛାଡି କି ଚାଲିଯାଇଥିଲା। ତାଙ୍କୁ ଆଣି ଘରେ ରଖିଲେ। ସେମାନଙ୍କ ବଂଶ ବଢ଼ି ୧୫ଟି ବିଲେଇ ଏବେ ଅଛନ୍ତି। ଗୋଟିଏ ଶୁଆ ବି ଅଛି। ସେଇମାନଙ୍କ କାମରୁ ଆରମ୍ଭ ହୁଏ ଶ୍ୟାମସୁନ୍ଦରଙ୍କ ସକାଳ। କୁକୁରଙ୍କର ସକାଳ ନିତ୍ୟକର୍ମ ପରେ ସେମାନେ ଖାଆନ୍ତି ପେଡିଗ୍ରି। ବିଲେଇଙ୍କର ବି ସେମିତି ଜଳଖିଆ ରହିଛି। କୁକୁରମାନେ ପୂରା ଶାକାହାରୀ। ରାତିରେ କେବଳ ଭାତ କ୍ଷୀର ଖାଆନ୍ତି। କିନ୍ତୁ ଶ୍ୟାମସୁନ୍ଦରଙ୍କର ବିଲେଇମାନେ ସମ୍ପୂର୍ଣ୍ଣ ଆମିଷାଶୀ। ମାସକୁ ୨୫ ଦିନ ତାଙ୍କର ଆମିଷ ଦରକାର। ତେବେ ସବୁଠୁ ବଡ କଥା ହେଲା କାହାକୁ ସେ ବାନ୍ଧିକି ରଖିନାହାନ୍ତି। କୁକୁର ବିଲେଇ ସମସ୍ତେ ଘର ଭିତରେ ଆନନ୍ଦରେ ବୁଲନ୍ତି। ମିଶିକି ଖାଆନ୍ତି। ପାଖରେ ଶୁଅନ୍ତି। ଏପର୍ଯ୍ୟନ୍ତ କେହି ଘରୁ ଚାଲି ଯାଇନାହାନ୍ତି। ପୁଣି କୁକୁର ବିଲେଇ ଶୁଆ ସମସ୍ତଙ୍କର ପରସ୍ପର ଭିତରେ ଭଲପାଇବା ବି ବହୁତ। ସମସ୍ତେ ମିଳିମିଶି ରୁହନ୍ତି। ମୋ ପାଇଁ ମୋ ପୁଅ ଦୁଇଜଣ ଯେମିତି ଏମାନେ ବି ସେମିତି ମୋ ପିଲା।

ବାସହରା ପଶୁପକ୍ଷୀଙ୍କୁ ପାଖରେ ରଖିବାର ଇଚ୍ଛା: ସୁବାସିନୀ ଶତପଥୀ, ଘର ବଳଗଣ୍ଡି ପୁରୀ। ଘରେ ଶାଶୁ, ସ୍ବାମୀ, ଦୁଇ ପୁଅ, ଦେଢଶୁର, ଦିଅରଙ୍କ ଛଡା କୁକୁର, ବିଲେଇ, କଇଁଛଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚଢେଇକୁ ନେଇ ସୁବାସିନୀଙ୍କ ସଂସାର। ସେ କୁହନ୍ତି, ‘ସାକ୍ଷୀଗୋପାଳ ସାନ କାଂଜିଆଁ ମୋ’ ଅନ୍ତୁଡ଼ିଶାଳ l ଘରେ ବଡ଼ ଗୁହାଳ ଭର୍ତ୍ତି ଗାଈ, ବଳଦ, ଛେଳି, ମେଣ୍ଢା, ପାରା ଭାଡି, ଧଳା ମୂଷା, କୁକୁଡ଼ା, କୁକୁର, ଶୁଆ, ନେଉଳ, ବିଲେଇ ସମସ୍ତେ ଏକାଠି ରହୁଥିଲୁ । ପିଲାଦିନ ଖୁବ ମଜାରେ ପଶୁ ପକ୍ଷୀଙ୍କ ସହ କଟିଲା l ମୋ ବଦନି ବୋଉ ଗାଈ ଦୁହିଁଲା ବେଳେ ଗିନା ଧରି ବସି କଞ୍ଚା ଉଷୁମ କ୍ଷୀର ସହ କଞ୍ଚା ଅଣ୍ଡା ଫେଣ୍ଟି ଖାଇବା ମୋର ଅଭ୍ୟାସ। ବୋଉ ନ ଥିଲେ ଗାଈ ଚିରରେ ମୁହଁ ଲଗେଇ ଦିଏ l ଏତେ ସୁଧାର ସେ କାଳି, କସରୀ, କଇଁ, ତୋଫା, ଟିକେ ବି ନାତ ମାରନ୍ତିନି l ପିଲାମାନଙ୍କୁ ସେମାନେ ବି ସ୍ନେହ କରନ୍ତି l

ପାଠ ପଢିବା ପାଇଁ ପୁରୀ ଆସିଲି । ବାପା ଚାକିରି କରୁଥିଲେ l ଘର ପାଖରେ ମୋ ମାମୁ ଅଜାଙ୍କ ଘର l ପୁରୀ ସହରର ସୁରେନ୍ଦ୍ର ନାଥ ଦାଶ ମୋର ମାମୁ ଅଜା l ମୋର ଆଦର୍ଶ ତାଙ୍କ ଘରଟା ଥିଲା ଗୋଟେ ଚିଡ଼ିଆ ଖାନା l ଭାଲୁ, ଝିଙ୍କ, ମୟୂରଠାରୁ ଆରମ୍ଭ କରି ବହୁ ପଶୁ ପକ୍ଷୀ ସେ ପାଳିଥିଲେ l ସେଇଠି ମୋର ଅଧିକାଂଶ ସମୟ କଟିଯାଏ l ସବୁ ପୋଷା ଜୀବଙ୍କଠୁ ପ୍ରିୟ ମୋ ମନୁ ମାଙ୍କଡ଼, ଆଉ ବିଲେଇ ମାଧୁରୀ। ଭଲ ପାଇବା ମୁଁ ଏମାନଙ୍କଠାରୁ ଶିଖିଛି l ଏ ଦୁଇଜଣ ମୋ ସହ ଏକାଠି ଖାଆନ୍ତି, ଏକାଠି ଶୁଅନ୍ତି, ମୋ’ ସାଇକେଲରେ ବସି ପୁରୀ ସହର ବୁଲନ୍ତି l ମୁଁ ପଢିଲା ବେଳେ ମନୁ ବହି ଲେଉଟାଏ, କିନ୍ତୁ କାଗଜ ଚିରେନି, ମୋଭଳି ଖଟା, ଚାହା, ଆଇସକ୍ରିମ ଖାଏ l

ମୋ ଜିନିଷ କାହାକୁ ହାତ ଲଗେଇ ଦିଏନି l ଖାଇବା ପିଢା ପାଖରେ ଜଗି ବସିଥାଆନ୍ତି l ଅନ୍ୟ କାହାଠୁ ଖାଆନ୍ତିନି l ଦେହ ଖରାପ ଥିଲା ବେଳେ ଜାବୁଡି ଧରିଥାଆନ୍ତି। ସୁନାପିଲା ପରି କଥା ମାନନ୍ତି l ସେମାନଙ୍କ ଦେହ ଖରାପ ହେଲେ କାମ ଆଳରେ ଦୂରେଇ ରହିଲେ ଭୀଷଣ କଷ୍ଟ ଲାଗେ l

ଥରେ ମନୁକୁ ଗୋପାଳ ନାମକ ଜଣେ ଦୁଷ୍ଟ ପିଲା ଭାଙ୍ଗ ଲୁଚେଇ ଦେଇଦେଲା l ମନୁ ଆଖଣ୍ଡଳ ମଣି ପାଖରେ ଥିବା ଟିନିଆ ଗଛ ଉପରେ ରହିଲା ଆଉ ତଳକୁ ଓହ୍ଲାଇ ପାରିଲାନି l ସେତେ ବେଳକୁ ରାତି ଦଶ l କେତେଜଣ ଚେଷ୍ଟା କରି ବିଫଳ ହେଲେଣି l ମନୁ ଘରକୁ ନ ଆସିଲେ ମୁଁ ଖାଇ ପାରିବିନି କି ଶୋଇ ପାରିବିନି l ମୋ ଜିଦି ପାଇଁ ବହୁ ଗାଳି ବି ଶୁଣିଛି l
ଗଛ ଚଢା ଜାଣିନି। ସେଦିନ କିନ୍ତୁ ମନୁ ପ୍ରେମରେ ଅନ୍ଧ ହୋଇ ପଡିବାକୁ ଭୟ ନ କରି ମୁଁ ଏତେ ବଡ଼ ଗଛରେ ଚଢ଼ିଗଲି l ମନୁ ମୋ ବେକକୁ ଜାବୁଡି ଧରିଦେଲା l ମୁଁ ଓହ୍ଲାଇ ପାରିଲି ଅବଶ୍ୟ। ଗଛ ଚଢିବା ମୁଁ ତାଠୁ ଶିଖିଛି l

ସେମାନେ ବାଦ କରନ୍ତି, ଫୁଲେଇ ହୁଅନ୍ତି । ପିଲା ବୁଢା ଜ୍ଞାନ କରନ୍ତି l ମୁଁ ପ୍ରାର୍ଥନା କଲାବେଳେ ମନୁ ମୋ’ କୋଳରେ ବସି ଘଣ୍ଟା ଘଣ୍ଟା ଶୁଣେ l ମୁଁ ମୁଣ୍ଡ କୁଣ୍ଡେଇଲେ ତା’ଦେହ କୁଣ୍ଡାଇ କହେ କୁଣ୍ଡେଇବାକୁ l ତା’ କଳା ମୁହଁରେ ପାଉଡ଼ର ଟିକିଲି ଲାଗିଲେ ସେ ଖୁସିରେ ଗେଲ ହୁଏ l ମଣିଷମାନେ ଭୀଷଣ ସ୍ବାର୍ଥପର l ବିଶ୍ୱାସରେ ବିଷ ଦିଅନ୍ତି ମଣିଷ । ପଶୁ ପକ୍ଷୀ ବିଷକୁ ବିଶ୍ୱାସରେ ବଦଳେଇ ପାରନ୍ତି ସ୍ନେହରେ, କୃତଜ୍ଞତାରେ। ଶାଶୁଘରେ ସେତିକି ସୁବିଧା ନ ଥିଲେ ବି କୁକୁର , ବିଲେଇ , କଇଁଛ , ବିଭିନ୍ନ ଚଢେଇ ରଖିଛି। ଯେଉଁମାନେ ଆଶ୍ରୟ ପାଇବା ଲୋଭରେ ଆସିଛନ୍ତି ତାଙ୍କୁ ରଖିଛି ଆଦରରେ। ମୋର ପିଲାମାନେ ନିଜ ଭାଇ ଭଉଣୀ ଭଳି ସ୍ନେହ କରନ୍ତି ଏହି ନିରୀହ ପ୍ରାଣୀମାନଙ୍କୁ। ନିଜେ ନ ଖାଇ ଖୁଆନ୍ତି। ପାଖରେ ଶୁଆନ୍ତି । ଦେହ ଖରାପ ହେଲେ ରାତି ଜାଗି ଯତ୍ନ ନିଅନ୍ତି । ଭାରି କଷ୍ଟ ହୁଏ ବାହାରେ କେବେ କିଏ କୁକୁର, ଗାଈ, ଛେଳି, ଷଣ୍ଢ, କୁକୁଡ଼ା, ବିଲେଇ, ମାଙ୍କଡ଼କୁ ଟେକା ଫିଙ୍ଗିବାର, ଠେଙ୍ଗାରେ ବାଡେଇବାର ଦେଖିଲେ । ଘରେ ସେତିକି ଜାଗା ଥିଲେ ମୁଁ ବାସହରା ହୋଇ ବୁଲୁଥିବା ପଶୁପକ୍ଷୀଙ୍କୁ ପାଖରେ ରଖିଥାଆନ୍ତି।’

ସେମାନେ ଏବେ ମୋ ଦୁନିଆ: ଧଳା କଳା ସୁନେଲି ନାଲି ପୁଣି ରଙ୍ଗିନ ଏମିତି ବିଭିନ୍ନ ପ୍ରକାରର ପ୍ରାୟ ସତୁରି କି ଅଶୀଟି ପାରାଙ୍କ ମେଳରେ ଆରମ୍ଭ ହୁଏ ସକାଳ। ସକାଳର ଦୁଇଘଣ୍ଟା ପୂରା ସେମାନଙ୍କ ସହ ସେମାନଙ୍କ ପାଇଁ। ସେଇଥିରେ ହିଁ ତାଙ୍କର ଖୁସି। ଏ ହେଲେ ଦିଲୀପ ମହାପାତ୍ର। ଘର ଖାକିମଠ ନୂଆସାହି, ପୁରୀ। ଚାକିରି କରନ୍ତି ରେଲୱେରେ। ଦିଲୀପ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ପ୍ରଥମେ ଧଳା ପାରା ଆଣି ରଖିଥିଲେ। ଆଉ ସେତିକିବେଳଠାରୁ ସାଙ୍ଗସାଥୀଙ୍କ ସହ ଖେଳିବାକୁ ନ ଯାଇ ଏହି ପାରାମାନଙ୍କ ସହ ଖେଳୁଥିଲେ ଓ ତାଙ୍କ ଯତ୍ନ ନେଉଥିଲେ। ତା’ପରେ ରଖିଲେ ନେଉଳ, ଲଭବାର୍ଡ ପୁଣି ଆକ୍ୱାରିୟମରେ ରଙ୍ଗିନ ମାଛ। ଏମାନଙ୍କ ସହ ହିଁ ତାଙ୍କର କଟେ ସବୁ ସମୟ। ସକାଳୁ ସେମାନଙ୍କୁ ଖୋଲି ପାଣି ପିଆଇ ଛାଡି ଦିଅନ୍ତି। ପାରାମାନେ ବୁଲାବୁଲି କରି ଫେରିବା ପରେ ସେମାନଙ୍କୁ ବାଜରା, ସୋରିଷ, ଧାନ, ଗହମ, ମୁଗ ଯାହା ଥିବ ଖାଇବାକୁ ଦେଇ ଡ୍ୟୁଟିକୁ ଯାଆନ୍ତି। ଦିଲୀପ କୁହନ୍ତି, ଏହି ପାରାଙ୍କ ପାଇଁ ମୁଁ କେବେ କୁଆଡେ ଯାଏନି। ଗଲେ ବି ସେଇଦିନ ଫେରି ଆସେ। କାରଣ ସେମାନେ କାହା ହାତରୁ ବି ଖାଇବେନି। ମତେ ଅପେକ୍ଷା କରିଥିବେ। ସତ କହିଲେ ତାଙ୍କୁ ଛାଡି କୁଆଡେ ଯିବାକୁ ବି ମତେ ଇଚ୍ଛା ହୁଏନି। ମୋ ଦୁନିଆରେ ଏବେ ସେମାନଙ୍କୁ ବାଦ ଦେଇ କିଛି ନାହିଁ।

ଏକଥା ସତ ଯେ, ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏଇ ନିରୀହ ଜୀବଙ୍କ ଭଲ ପାଇବାର ଭାଷା ବୁଝନ୍ତି। ଆଉ ପ୍ରତି ବଦଳରେ ପାଆନ୍ତି ନିଜ ପାଇଁ ସବୁଠୁ ବିଶ୍ୱସ୍ତ ସାଥୀଟିଏ।

-ରୋଜାଲିନ୍‌ ମହାନ୍ତି

Share