ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହେଲା କୋଣାର୍କ ଚକର ପ୍ରତିକୃତି

ଭୁବନେଶ୍ୱର,୧୭।୮(ଶର୍ମିଷ୍ଠା ପାଣିଗ୍ରାହୀ)କୋଣାର୍କର କଳା, ଭାସ୍କର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି ସେଫ୍‌ ବିକାଶ ଖାନ୍ନା। ଯେଉଁମାନେ କୋଣାର୍କ ଆସି ଏହାର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରି ପାରିନାହାନ୍ତି ଏବେ ସେମାନେ ପ୍ରତିକୃତି ଦେଖି ଓଡ଼ିଶାର କଳା ଓ ଭାସ୍କର୍ଯ୍ୟକଳାକୁ ଜାଣିପାରିବେ। ଏହି ପରିପ୍ରେକ୍ଷୀରେ ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସେ ୟୁଏସ୍‌ଏର ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାର୍‌ରେ ସ୍ଥାପନ କରିଛନ୍ତି କୋଣାର୍କ ଚକର ପ୍ରତିକୃତି। ଏହାର ଓଜନ ୧୭୫୦ କିଲୋଗ୍ରାମ ରହିଛି। ୮ଫୁଟ ଲମ୍ବ, ୬ଫୁଟ ଉଚ୍ଚ ଓ ୧ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରତିକୃତି ବାଲି ପଥରରେ ତିଆରି ହୋଇଛି। ଅଗଷ୍ଟ ୨୨ ପର୍ଯ୍ୟନ୍ତ ଏହା ସେଠାରେ ପ୍ରଦର୍ଶିତ ହେବ।

ସେଫ୍‌ ଖାନ୍ନା ସୋସିଆଲ ମିଡିଆ ପୋଷ୍ଟରେ ଏ ନେଇ ଶିଳ୍ପୀ ଅମରେଶ ଚନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଟିମ୍‌ଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କୋଣାର୍କ ମନ୍ଦିର ତ୍ରୟୋଦଶ ଶତାବ୍ଦୀରୁ ତିଆରି ହେଲାଣି। ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କଲା ପରେ ତାହା ଆଜି ବି ଅକ୍ଷୁର୍ଣ୍ଣ ଓ ସୁନ୍ଦର। ଏହାର କଳା ଅନନ୍ୟ। ପ୍ରାୟ ୫ବର୍ଷ ଧରି ଏହାକୁ ଆଣିବାକୁ ଚେଷ୍ଟା କରିଛି। ଶେଷରେ ସ୍ବପ୍ନ ସାକାର ହୋଇଛି। ଏବେ ଏହାକୁ ସାରା ବିଶ୍ୱ ଦେଖୁଛି ବୋଲି ସେ ଖୁସିରେ ପରିପ୍ରକାଶ କରିଛନ୍ତି। ସେ ମଧ୍ୟ ତାଙ୍କ ପୋଷ୍ଟରେ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ପ୍ରମୁଖ କୃତଜ୍ଞତା ଜଣାଇବା ସହ ଓଡ଼ିଶାର ଏହି ଦୁର୍ଲଭ କଳାକୁ ସାରା ବିଶ୍ୱରେ ପରିଚିତ କରାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି।

Share