ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ ଗବେଷଣା କେନ୍ଦ୍ର ଖୋଲିବ। ଆସନ୍ତା ମାସରେ ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ ଅଫ୍‌ ଦି କ୍ୟୁନି କ୍ରେଷ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଏଏସ୍‌ଆଇଆଇସିସିଆଇ) ନାମରେ ଏହି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ। ଏନେଇ ଶୁକ୍ରବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ୟୁନି ବିଶ୍ୱବିଦ୍ୟାଳୟ ସଭାପତି ଡ. ମିଲ୍‌ଟନ ସାଣ୍ଟିଆଗୋ ଘୋଷଣା କରିଛନ୍ତି। ଏହି ଗବେଷଣା କେନ୍ଦ୍ରରେ ସେହି ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଧ୍ୟାପକମାନେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଉପରେ ଗବେଷଣା, ଶିକ୍ଷା ବିନିମୟ ସହ ଅଚ୍ୟୁତଙ୍କ କାର୍ଯ୍ୟକଳାପ ଉପରେ ଗବେଷଣା ଓ ଅଧ୍ୟୟନ କରିବେ। କ୍ୟୁନି ସଭାପତି ଡ. ସାଣ୍ଟିଆଗୋ ମୁମ୍ବାଇ ଏବଂ ହାଇଦ୍ରାବାଦସ୍ଥିତ ଆମେରିକା ଦୂତାବାସର କନ୍‌ସଲ ଜେନେରାଲଙ୍କୁ ନେଇ ଏକ ୧୫ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର କିଟ୍‌ ଓ କିସ୍‌ ପରିଦର୍ଶନରେ ଆସିଥିଲା। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ସାମନ୍ତ ଓଡ଼ିଶାର କଳା ସଂସ୍କୃତି ଉପରେ ଆମେରିକାର ଏକ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିନିମୟ ଓ ଗବେଷଣା କରାଯିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକା କନ୍‌ସଲ ଜେନେରାଲ ଆଲେକଜାଣ୍ଡର ମାକ୍‌ ଲରେନ, ମୁମ୍ବାଇରେ ଅବସ୍ଥାପିତ ଆମେରିକା କନ୍‌ସଲ ଜେନେରାଲ ସୀତା ରାଇଟର, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦ୍ୟୋପାଧ୍ୟାୟ, କୁଳସଚିବ ଡ. ଜ୍ଞାନ ରଞ୍ଜନ ମହାନ୍ତି, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share