Categories: ଜାତୀୟ

ମଣିପୁର ସ୍ଥିତି ସମ୍ଭାଳିବେ ଅବସରପ୍ରାପ୍ତ ସେନା ଅଧିକାରୀ

ଇମ୍ଫାଲ,୪।୯: ମଣିପୁରରେ ଦୀର୍ଘ ୪ ମାସହେଲା ହିଂସାକାଣ୍ଡ ଲାଗି ରହିଛି। ଏଥିରେ ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଅବସରପ୍ରାପ୍ତ ସେନା ଅଧିକାରୀ କଲୋନେଲ୍‌ ନେକ୍ଟର ସଞ୍ଜୀବମ୍‌ଙ୍କୁ ପୋଲିସ ବିଭାଗରେ ୫ ବର୍ଷ ଲାଗି ନିଯୁକ୍ତ କରିଛନ୍ତି। ସଞ୍ଜୀବମ୍‌ ୨୦୧୫ରେ ମ୍ୟାନମାରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ନେତୃତ୍ୱ ନେଇଥିଲେ। ଅଗଷ୍ଟ ୨୪ରେ ମଣିପୁର ସରକାର ସଞ୍ଜୀବମ୍‌ଙ୍କୁ ସିନିୟର ରାଜ୍ୟ ପୋଲିସ ବିଭାଗରେ ସିନିୟର ସୁପରିଟେଣ୍ଟେଣ୍ଡ ଭାବେ ନିଯୁକ୍ତି ଦେଇଛନ୍ତି।

ସଞ୍ଜୀବମ୍‌ ତାଙ୍କ ଚାକିରି ଜୀବନରେ କୀର୍ତ୍ତିଚକ୍ର ଏବଂ ଶୌର୍ଯ୍ୟ ଚକ୍ର ଭଳି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଜୁନ୍‌ ୧୨ରେ ହୋଇଥିବା ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ସଞ୍ଜୀବମ୍‌ଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଯୁଗ୍ମ ସଚିବ(ଗୃହ ବିଭାଗ) କହିଛନ୍ତି। ଅପରପକ୍ଷେ ଗୁଳିକାଣ୍ଡ ଓ ବୋମା ବିସ୍ଫୋରଣ ଯୋଗୁ ଗତ ୫ ଦିନ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି।

Share