କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ଚାଇନାର ହାଙ୍ଗଝୋଠାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଶୋର ତାଙ୍କ କ୍ୟାରିୟରରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। କିଶୋର ୮୭.୫୪ ମିଟର ଦୂରତାକୁ ଜାଭେଲିନ୍‌ ଫିଙ୍ଗି ରେକର୍ଡ କରିଛନ୍ତି। କିଶୋରଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କିଶୋରଙ୍କୁୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳତା ଉଭୟ ରାଜ୍ୟ ଓ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଦେଶର କ୍ରୀଡ଼ା ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ। ଏହି ପୁରସ୍କାର ତାଙ୍କର ସୁନ୍ଦର ପ୍ରଦର୍ଶନ, ତାଙ୍କ ଦୃଢ଼ତା ଓ ସଂକଳ୍ପକୁ ଶ୍ରେୟ ଦେଉଛି ବୋଲି କହିଛନ୍ତି।

କିଶୋରଙ୍କ ବିଜୟ କେବଳ ତାଙ୍କର ବ୍ୟକ୍ତିଗତ ଉତ୍କର୍ଷତାକୁ ଦର୍ଶାଉନାହିଁ ବରଂ ସମଗ୍ର ଦେଶରେ ଉଦୀୟମାନ କ୍ରୀଡ଼ା ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Share