ମୁଣ୍ଡରେ ରିବନ୍‌ ବାନ୍ଧି ଝାଡୁ କଲେ, ଦଣ୍ଡବତ ହେଲେ

ଭୁବନେଶ୍ୱର,୧।୧୦(ଅନୁରାଧା ମହାରଣା)ଗାଁ ସାଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଗାଇଡ୍‌ଲାଇନ କାର୍ଯ୍ୟକାରୀ କରାଯାଉନାହିଁ। ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ୨୦୨୧ ମସିହାରେ ତତ୍‌କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ୨ଟି ଅଭିଯୋଗ ନେଇ ଗାଁ ସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନେଶ୍ୱରଠାରେ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ଶୁଣୁ ନ ଥିବାରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଉଛି। ଜୀବନଜୀବିକା ବିପନ୍ନ ହୋଇଯାଇଥିବା ଦର୍ଶାଇ ପୂର୍ବରୁ ଘାସ ଓ ନଡ଼ା ଖାଇ ପ୍ରତିବାଦ କରିଥିବାବେଳେ ଶନିବାର ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ହଜାର ହଜାର ଗଁା ସାଥୀ ମୁଣ୍ଡରେ ରିବନ ବାନ୍ଧି ରାସ୍ତା ସଫେଇ କରିବା ସହ ଆଣ୍ଠେଇ ଆଣ୍ଠେଇ ଦଣ୍ଡବତ କରି ଧାରଣାସ୍ଥଳରୁ ବିଧାନସଭା ଅଭିମୁଖେ ବାହାରିଥିଲେ। ଆନ୍ଦୋଳନକାରୀମାନେ ରାମଧୁନ୍‌ ସହ ଅନ୍ୟ ପ୍ରତିବାଦମୂଳକ ଗୀତ ପରିବେଷଣ କରି ଦାବି ଉପସ୍ଥାପନ କରିଥିଲେ। ଧାରଣା ସ୍ଥଳରେ ଭାଜପା ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନ୍ୟ ଭାଜପା ନେତା ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ। ଧାରଣାସ୍ଥଳରୁ ନବୀସ ନିବାସ ମାତ୍ର କିଛି ଦୂରରେ ରହିଥିଲେ ମଧ୍ୟ ସେ କିମ୍ବା ତାଙ୍କ ପ୍ରତିନିଧି ଧାରଣାସ୍ଥଳକୁ କାହିଁକି ଆସୁନାହାନ୍ତି ବୋଲି ସୂର୍ଯ୍ୟବଂଶୀ ପ୍ରଶ୍ନ କରିଥିଲେ।

Share