Advertisement

ଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣ

କୋରାପୁଟ /ନାରାୟଣପାଟଣା, ୫ା୧ (ସ୍ବ.ପ୍ର./ଡି.ଏନ.ଏ.): କେତେବେଳେ ଭରା ନଦୀ ପାର ହେବାକୁ ପଡେ ତ କେତେବେଳେ ଖଟିଆରେ ବୁହା ହୋଇ ଯିବାକୁ ପଡେ ଡାକ୍ତରଖାନା। କେବେ ଡାକ୍ତରଖାନା ନେବାକୁ ରାତି ଅଧରେ ନଦୀ ସେପଟେ ରହେ ଆମ୍ବୁଲାନ୍ସ। ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ଅନ୍ଧାର ରାତିରେ ସେ ଖୋଜୁଥାଏ ରାସ୍ତା। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ସଦର ମହକୁମା ଖାରିକଣା ଗ୍ରାମର ଗ୍ରାମବାସୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଏପରି କରୁଣ ଦୃଶ୍ୟ। ପ୍ରାୟ ୧୦୦ରୁ ଅଧିକ ଘର ଥିବା ଏହି ଗ୍ରାମକୁ ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଯିବାପାଇଁ ମାଟି ରାସ୍ତା ମଧ୍ୟ ନ ଥିଲା। ଅନେକ ସମୟରେ ରାସ୍ତା ନ ଥିବାରୁ ରୋଗରେ ପଡ଼ି ଅବା ଗର୍ଭବତୀ ମହିଳାଙ୍କ ଜୀବନ ମଧ୍ୟ ଯାଇଥିବା ନଜିର ମଧ୍ୟ ରହିଛି। ଅନ୍ୟପକ୍ଷରେ ମାଗଣା ଚାଉଳ ହେଉ କିମ୍ବା ଚାଷ ଜମିକୁ ବିହନ ସାର ନେବାକୁ ରାସ୍ତା ନ ଥିବା ହେତୁ ନଦୀ ପାର ହୋଇ ଯିବାକୁ ପଡ଼ୁଥିଲା ଖାରିକଣା ଗ୍ରାମବାସୀଙ୍କୁ।

ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏବେ ପ୍ରଶାସନ ଏହି ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ବ୍ଲକ ପ୍ରଶାସନ ଜୋର୍‌ ସୋର୍‌ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ନିର୍ମାଣ କରୁଛି ମେଟାଲ ମୋରମର ରାସ୍ତା । ଫଳରେ ଏଣିକି ଆଉ ପୂର୍ବ ସମସ୍ୟା ରହିବନାହିଁ। ଫୋନ କଲେ ୧୦୮, ୧୦୨ ଆମ୍ମୁଲାନସ ପହଞ୍ଚତ୍ପାରିବ ଗ୍ରାମରେ। ଗ୍ରାମରୁ ରୋଗୀ ଯିବେ ନିକଟସ୍ଥ ଡାକ୍ତରଖାନା। ନାରାୟଣପାଟଣା ବିଡିଓ ଅଶିନୀ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଅକ୍ଷୟ ସାହୁ,ସରପଞ୍ଚ ରେବତୀ କୁଦାରିୟାଙ୍କ ତତ୍ୱାବଧାନରେ ଘାଟି କାଟି ରାସ୍ତା ତିଆରି ଚାଲିଛି। ବର୍ତ୍ତମାନ ସୁଦ୍ଧା ୭୦ ଭାଗ କାର୍ଯ୍ୟ ସରିଲାଣି। ଆଉ କେତୋଟି ଦିନ ପରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଯନ୍ତ୍ରୀ ସାହୁ କହିଛନ୍ତି। ଆଗାମୀ ଦିନରେ ଗ୍ରାମବାସୀଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସମାଧାନ ଧୀରେ ଧୀରେ କରାଯିବ। ମାଟି ରାସ୍ତା କିପରି ପକା ରାସ୍ତାରେ ପରିଣତ ହେବ ସେ ବ୍ୟବସ୍ଥା ଆଗାମୀ ଦିନରେ ହେବ ବୋଲି କହନ୍ତି ନାରାଣପାଟଣା ବିଡିଓ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share