Categories: ଫୁରସତ

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ଚିକିତ୍ସା ପ୍ରଣାଳୀ ବାହାରି ନାହିଁ। ଏ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତି ବର୍ଷ ମେ’ ୧୮ ତାରିଖରେ ‘ବିଶ୍ୱ ଏଡ୍‌ସ ଟିକା ଦିବସ’ ପାଳିତ ହୋଇଥାଏ। ଚଳିତବର୍ଷର ଏହି ଦିବସର ପ୍ରସଙ୍ଗ ରହିଛି ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର। ୧୯୯୭ ମସିହା ମେ’ ୧୮ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ମୋର୍ଗାନ ଷ୍ଟେଟ୍‌ ୟୁନିଭର୍ସିଟିରେ ଭାଷଣ ଦେଉଥିବା ଅବସରରେ ଏଭଳି ପ୍ରସ୍ତାବ ଦେଇଥିଲେ। ପରେ ତାହାକୁ ସମସ୍ତେ ସମର୍ଥନ କରିଥିଲେ। ଏଭଳି ବିଷୟରେ ଆଲୋଚନା ଆରମ୍ଭ ହେବା ପରେ ଏଚ୍‌ଆଇଭି ପ୍ରତିଷେଧକ ଟିକାର ଉଦ୍ଭାବନ ପାଇଁ ଚେଷ୍ଟା ମଧ୍ୟ ଆରମ୍ଭ କରାଯାଇଥିଲା। ପ୍ରତିବର୍ଷ ଏହି ଦିନରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଡ୍‌ସ ରୋଗ ବିଷୟରେ ଲୋକମାନଙ୍କୁ ଆହୁରି ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ। କାରଣ ଆରମ୍ଭରୁ ଯଦି ଜଣେ ଏ ବିଷୟରେ ସତର୍କ ରୁହନ୍ତି ତେବେ ସେ ନିଜକୁ ଏଡ୍‌ସଠାରୁ ଅନେକାଂଶରେ ଦୂରେଇ ରଖିପାରିବେ। ତେଣୁ ଏହାର ଲକ୍ଷଣ ବିଷୟରେ ଜଣେ ଅବଗତ ହେବା ନିହାତି ଦରକାର। ଏଚ୍‌ଆଇଭି (ହ୍ୟୁମାନ ଇମ୍ୟୁନୋଡିଫିସିଏନ୍ସି ଭାଇରସ) ହେଉଛି ଏକ ଏଭଳି ଭୟଙ୍କର ଭୂତାଣୁ, ଯାହା ଶରୀରରେ ପ୍ରବେଶ କରିବା ପରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାଓ୍ବାରକୁ ଦୁର୍ବଳ କରିପକାଏ। ଅସୁରକ୍ଷିତ ଯୌନ ସମ୍ପର୍କ, ବିଶୋଧିତ ହୋଇ ନ ଥିବା ସିରିଞ୍ଜ ଦ୍ୱାରା ଏହି ରୋଗ ମୁଖ୍ୟତଃ ବ୍ୟାପିଥାଏ। ଏପରିକି ଗର୍ଭାବସ୍ଥାରେ ମା’ଠାରୁ ପିଲାଙ୍କୁ ଏହି ରୋଗ ସଂକ୍ରମିତ ହୋଇପାରେ। ଏହି ଭୂତାଣୁ ଶରୀରରେ ପ୍ରବେଶ କଳେ ଜ୍ୱର ହେବା ବ୍ୟତୀତ ଗଳାରେ ଯନ୍ତ୍ରଣା, ଥକାପଣ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ବର୍ତ୍ତମାନ ଏହି ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ଅକାଳ ମୃତ୍ୟୁର ଶିକାର ହେଉଛନ୍ତି। ଏଥିପାଇଁ ଟିକାର ବିକାଶ ହେଲେ ତାହା ଏଡ୍‌ସ ମୃତ୍ୟୁହାରରେ ଅଙ୍କୁଶ ଲଗାଇ ପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share