‘ସୁରକ୍ଷିତ ଓଡ଼ିଶା ଗଠନ ଆମର ମୂଳ ଲକ୍ଷ୍ୟ’

ରାୟଗଡ଼ା,୨ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ୍‌ ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ବିଏସ୍‌କଓ୍ବୋଇ ରାଜ୍ୟ ଉପଦେଷ୍ଟା ସୁଧୀର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଏସପି ବିଷ୍ଣୁ ପାତ୍ର କହିଥିଲେ ଯେ, ଆଜିର ମଣିଷ କୌଣସି ନା କୌଣସି ମାଧ୍ୟମରେ ଡିଜିଟାଲ କାରବାର ସହିତ ଜଡ଼ିତ। ତେବେ ସଚେତନତା ଅଭାବ ଓ ଅସାବଧାନତା କାରଣରୁ ସାଇବର ଅପରାଧର ଶିକାର ହୋଇଥାନ୍ତି ଜନସାଧାରଣ। ତେଣୁ ଅକ୍ଟୋବର ମାସକୁ ସାଇବର ସୁରକ୍ଷା ମାସ ଭାବେ ଓଡ଼ିଶାରେ ପାଳନ କରାଯିବାକୁ ନେଇ ସ୍ଥିର ହୋଇଛି। ଛାତ୍ରୀଛାତ୍ର, ମହିଳା, ବରିଷ୍ଠ ନାଗରିକ ଓ ଡିଜିଟାଲ ମାଧ୍ୟମ ବ୍ୟବହାର କରୁଥିବା ପ୍ରତ୍ୟେକଙ୍କୁ ସଚେତନ କରିବା ସହ ସୁରକ୍ଷିତ ଓଡ଼ିଶା ଗଠନ କରିବା ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଏସ୍‌ପି ଶର୍ମା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ରାୟଗଡ଼ା ପୌରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ପୌରନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦ, ପିସିସି ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସମେତ ସହର ବୁଦ୍ଧିଜୀବୀ, ବରିଷ୍ଠ ସାମ୍ବାଦିକ, ଜନସାଧାରଣ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପୋଲିସର ସମସ୍ତ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।