ଚାଇନା ନାଗରିକଙ୍କ ବ୍ୟାଗ୍‌ରୁ ବାଦୁଡ଼ି ମାଂସ ଧରିଲା ସନ୍ଧାନୀ କୁକୁର

ବ୍ୟାଙ୍କକ୍‌,୧୨।୧୧: ଥାଇଲାଣ୍ଡର ସୁବର୍ଣ୍ଣଭୂମି ଏୟାରପୋର୍ଟରେ ଜଣେ ଚାଇନା ନାଗରିକ ନିଜ ବ୍ୟାଗ୍‌ରେ ଚାଲାଣକରି ଆଣୁଥିବା ବାଦୁଡ଼ି ମାଂସକୁ ସନ୍ଧାନୀ କୁକୁର ଧରିଛି। ପ୍ରାଣୀଧନ ଉନ୍ନୟନ ବିଭାଗର କୁକୁରଟି ବିମାନବନ୍ଦରରେ ଡ୍ୟୁଟିରେ ନିୟୋଜିତ ଥିବାବେଳେ ମାଲେସିଆ, କମ୍ବୋଡିଆ, ତାଇଓ୍ବାନ, ଲାଓସ୍‌, ଭିଏତ୍‌ନାମ ଓ ଚାଇନାଭଳି ଦେଶରୁ ଆସି ଅବତରଣ କରିଥିବା ବିମାନର ବ୍ୟାଗ୍‌ଗୁଡ଼ିକୁ ଶୁଂଘି ଯାଞ୍ଚ କରୁଥିଲା। ଚାଇନାର କୁନ୍‌ମିଙ୍ଗ୍‌ରୁ ଆସିଥିବା ଫ୍ଲାଇଟ୍‌ରେ ଜଣେ ବ୍ୟକ୍ତି ଏକ ଛୋଟ ବ୍ୟାଗ୍‌ରେ ୨.୫ କେ.ଜି. ବାଦୁଡ଼ି ମାଂସ ଆଣିଥିଲେ। ଧରା ନ ପଡ଼ିବା ପାଇଁ ସେ ଉକ୍ତ ବ୍ୟାଗ୍‌କୁ ଆଉ ଏକ ବଡ଼ ବ୍ୟାଗ୍‌ ଭିତରେ ପୁରାଇ ରଖିଥିଲେ। ସନ୍ଧାନୀ କୁକୁର ତାକୁ ଦେଖିବାମାତ୍ରେ ଧରିପକାଇଥିଲା। ବାଦୁଡ଼ି ମାଂସରେ ନିପା ଭାଇରସ୍‌ ସଂକ୍ରମଣ ଆଶଙ୍କା ଥିବାରୁ ଲାବ୍‌କୁ ପରୀକ୍ଷା ପାଇଁ ପଠାଯାଇଛି।

Share