ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ ନେଇ ଲୋକଙ୍କ ଘରୁ ଓ ଦୋକାନମାନଙ୍କରୁ ମୂଲ୍ୟବାନ ସାମଗ୍ରୀ ଚୋରି କରିବାରେ ସଫଳ ହୋଇଥିଲେ ମଧ୍ୟ ଆଙ୍କୋରଡା ଗ୍ରାମ ଉପକଣ୍ଠରେ ଥିବା ସ୍ବପ୍ନେଶ୍ବର ଶୈବପୀଠ ଏବଂ ଦିଗପହଣ୍ଡି – ପାଟପୁର ମଧ୍ୟ ରାସ୍ତାରେ ଥିବା ସନ୍ଥ ନିରଙ୍କାର ସତସଙ୍ଗ କେନ୍ଦ୍ରରୁ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି।
ଦୁର୍ବୃତ୍ତମାନେ ଶନିବାର ବିଳମ୍ବିତ ରାତିରେ ପାଟପୁର ମୁଖ୍ୟରାସ୍ତା କଡ଼ରେ ଥିବା ଶକ୍ତି ପ୍ରସାଦ ପାତ୍ରଙ୍କ ଘରେ ପଶି ପ୍ରାୟ ୪ ଭରି ଓଜନର ୮ଟି ସୁନା ଚୂଡି ଏବଂ ୨ ହଜାର ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି। ସେହିଭଳି ଆଙ୍କୋରଡ଼ା ଛକ ଦିବାନ ବଙ୍ଗଳା କୁମୁଦ ବିହାର ପ୍ରଥମ ଲେନ ରେ ଏକ ନିର୍ମାଣାଧୀନ ବାସଗୃହ ନିକଟରୁ ମଳୟ ପ୍ରଧାନଙ୍କ ପ୍ରାୟ ୮ ହଜାର ଟଙ୍କା ମୂଲ୍ୟର ଲୁହାଛଡ, ଶଙ୍କର ସେଠୀଙ୍କ ମନୋହାରି ଦୋକାନରୁ ୧୭ ଶହ ଟଙ୍କା ଏବଂ ଟି. ହରିଶ୍ଚନ୍ଦ୍ର ଦୋରାଙ୍କ ଦୋକାନ ତାଲା ଭାଙ୍ଗି ୩ ଶହ ଖୁଚୁରା ଟଙ୍କା ସମେତ କିଛି ଖାଦ୍ୟ ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।