ପୁରୁଷୋତ୍ତମପୁର,୮ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ସରିଛି। ଶେଷ ପାଳିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଆସିକା ବିଧାୟକ ସରୋଜ ପାଢୀ ଆସି ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପରିଡା କହିଥିଲେ ଯେ, ଆଗାମୀ ଦିନରେ ଓଡିଶାର ପ୍ରମୁଖ ଶକ୍ତିପୀଠଗୁଡିକୁ ନେଇ ଏକ ଶକ୍ତି କରିଡର କରାଯିବ। ଯାଜପୁର ବିରଜାଙ୍କ ପୀଠରୁ ଆରମ୍ଭ କରି କାକଟପୁର ମା’ ମଙ୍ଗଳା, ବାଣପୁର ମା ଭଗବତୀ, ଉଗ୍ରତାରା, ତାରାତାରିଣୀ, କାଳିଯାଇ, ଭୈରବୀ ଆଦି ପୀଠକୁ ନେଇ ଶକ୍ତି କରିଡର ଘୋଷଣା କରାଯିବ। ଏହାଦ୍ୱାରା ଭକ୍ତଙ୍କୁ ସହଜରେ ମା’ଙ୍କ ଦର୍ଶନ କରିବାର ସୁଯୋଗ ମିଳିବ।
ପୂର୍ବରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାରାତାରିଣୀ ପୀଠ ପାଇଁ ୮ କୋଟି, ତପ୍ତପାଣି ପାଇଁ ୧୧ କୋଟି, ଜିଲାର ଥିବା ନାରାୟଣୀ ପୀଠ ପାଇଁ ବି ଅର୍ଥ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ ବିଭାଗ ୬୦ କୋଟିରୁ ଅଧିକ ଟଙ୍କା ଚଳିତବର୍ଷ ଗଞ୍ଜାମ ଜିଲାକୁ ଦେଇଛି। ଏହାବାଦ ପୂର୍ତ୍ତ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡର ପ୍ରତିଷ୍ଠା କରିବା ଦାୟିତ୍ୱ ବହନ କରିବେ। ପୂର୍ବରୁ ମନ୍ତ୍ରୀମାନଙ୍କ ପକ୍ଷରୁ ଏ ନେଇ ଦାବି ଥିଲା ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ମନ୍ତ୍ରୀ ଜେନା କହିଥିଲେ ଯେ, ଆଧ୍ୟାତ୍ମିକ ଶକ୍ତି ପୀଠଗୁଡିକୁ ସଂଯୋଗୀକରଣ ନେଇ ଯୋଜନା ହୋଇଛି। ଶ୍ରଦ୍ଧାଳୁମାନେ ସବୁ ଶକ୍ତି ପୀଠକୁ ଅଳ୍ପ ସମୟରେ ସୁବିଧାରେ ଦର୍ଶନ କରିପାରିବା ଭଳି ବ୍ୟବସ୍ଥା ହେବ। ପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯାଇଛି। ଚଳିତବର୍ଷ ଏକ ଡକୁମେଣ୍ଟାରୀ ଫିଲ୍ମ ବି ନିର୍ମାଣ ହୋଇଛି ବୋଲି ସେ କହିଥିଲେ।
ଶ୍ରଦ୍ଧାଳୁ ଯେଭଳି ବିନା ଦ୍ୱିଧାରେ ମା’ଙ୍କ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ସେଥିନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଥିଲେ। ଏସପି ଶୁଭେନ୍ଦୁ କୁମାର ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକ କୁମାର ମିଶ୍ରଙ୍କ ସମେତ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।