ଭୁବନେଶ୍ୱର, ୩୦।୪ (ବ୍ୟୁରୋ): କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଉଏକ ପାଦ ଆଗକୁ ବଢାଇଛି। କିନ୍ନରମାନେ ଯେପରି ଅନ୍ୟମାନଙ୍କ ଭଳି ସ୍ବାଭାବିକ ଭାବେ ଜୀବିକା ନିର୍ବାହ କରିବେ, ଭିକ୍ଷାବୃତ୍ତି ଛାଡ଼ି ସ୍ବାବଲମ୍ବୀ ହୋଇ ପାରିବେ ସେ ନେଇ ବିଏମ୍ସି ଯୋଜନା କରୁଛି। ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ଅଭିଯାନର ଏକ ଅଂଶ ସ୍ବରୁପ ଖୁବ୍ଶୀଘ୍ର ସହରରେ ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଆଶ୍ରୟସ୍ଥଳ ଖୋଲାଯିବ। ଏଥିପାଇଁ ସହରର ୨ଟି ସ୍ଥାନ ଚିହ୍ନଟ କରାଯିବ। ପ୍ରତ୍ୟେକ ସ୍ଥାନରେ ୨୫ଜଣ ଲେଖାଏ ମୋଟ ୫୦ଜଣ କିନ୍ନର ରହିବାର ବ୍ୟବସ୍ଥା ହେବ। ମେ’ ଶେଷ ସୁଦ୍ଧା ଆଶ୍ରୟସ୍ଥଳକୁ କାର୍ଯ୍ୟକ୍ଷମ କରାଯିବ। ସେଠାରେ କିନ୍ନରଙ୍କ ଦକ୍ଷତା ବିକାଶ କରାଯିବା ସହ ଧୂପକାଠି, ଫିନାଇଲ୍ ଆଦି ସାମଗ୍ରୀ ତିଆରି ମାଧ୍ୟମରେ ରୋଜଗାର ସୃଷ୍ଟି ହେବ। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯିବ। ଏଥିସହ ରହଣୀ ସମୟରେ ପ୍ରତ୍ୟେକଙ୍କୁ ୩,୪୦୩ଟଙ୍କା ଲେଖାଏ ପ୍ରେତ୍ସାହନ ରାଶି ପ୍ରଦାନ କରାଯିବ। ବିଏମ୍ସି ଡେପୁଟି କମିଶନର କମଳାକାନ୍ତ ବେହେରା କହିଛନ୍ତି, ଆଜି ବି ଅନେକ ଲୋକ କିନ୍ନରଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ସେମାନଙ୍କ ରହଣୀ ପାଇଁ ସେପରି ଅନୁକୂଳ ପରିବେଶରେ ଘର ଖୋଜିବାକୁ ପଡୁଛି। ତେବେ ଖୁବ୍ଶୀଘ୍ର ସେମାନଙ୍କ ପାଇଁ ଆଶ୍ରୟ ଗୃହ ଚିହ୍ନଟ କରାଯିବ। ପରିଚାଳନା ଦାୟିତ୍ୱରେ ଥିବା ସଂଗଠନଗୁଡିକ ଏମାନଙ୍କୁ ଦକ୍ଷତା ବିକାଶ ନେଇ ତାଲିମ୍ ଦେବେ।
କାହିଁକି ଭିକାରିମୁକ୍ତ ହୋଇପାରୁ ନାହିଁ ସ୍ମାର୍ଟସିଟି?
ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ପାଇଁ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୂର୍ବରୁ ଯାଯାବର ଓ ଅନ୍ୟ ଭିକ୍ଷୁକଙ୍କ ପାଇଁ ୩ଟି ଆଶ୍ରୟ (ଭିକ୍ଷୁକ ଆଶ୍ରୟସ୍ଥଳୀ) ଏବଂ ୭ଟି ସହରାଞ୍ଚଳ ଆଶ୍ରୟସ୍ଥଳୀ (ଏସ୍ୟୁଏଚ) ରହିଛି। ଏସ୍ୟୁଏଚ୍ରେ ସମୁଦାୟ ୩୫୬ରୁ ଊଦ୍ଧର୍ବ ବ୍ୟକ୍ତି ରହିବାର ସୁବିଧା ଥିବାବେଳେ ଏବେ ସେଠାରେ ୨ଶହ ଜଣ ଅଛନ୍ତି। ସେହିପରି ୩ଟି ଆଶ୍ରୟ ଗୃହରେ ୩୦୦ଜଣ ରହିବାର ସୁବିଧା ଥିବାବେଳେ ଏବେ ପ୍ରାୟ ୨୬୦ଜଣ ବ୍ୟକ୍ତି ରହିଛନ୍ତି। ଅପରପକ୍ଷେ ଚନ୍ଦ୍ରଶେଖରପୁର ଏସ୍ୟୁଏଚ୍ ମହିଳା ଭିକ୍ଷୁକଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ଏଗୁଡିକର ପରିଚାଳନା ଦାୟିତ୍ୱ ମଧ୍ୟ ଓଡ଼ିଶା ପତିତାଉଦ୍ଧାର ସମିତି, ବିକାଶ, ଭିଜେଏସ୍ଏସ୍ ଭଳି ସଂଗଠନକୁ ଦିଆଯାଇଛି। ଏହାସତ୍ତ୍ୱେ ସ୍ମାର୍ଟସିଟି ଭୁବନେଶ୍ୱର ଭିକ୍ଷୁକମୁକ୍ତ ହୋଇପାରୁ ନାହିଁ। ତେବେ ଏ ସମ୍ପର୍କରେ ବିଏମ୍ସି ଡେପୁଟି କମିଶନର କମଳାକାନ୍ତ ବେହେରା କହିଛନ୍ତି, ରାଜଧାନୀକୁ ଭିକ୍ଷୁକମୁକ୍ତ କରିବା ପାଇଁ ବିଏମ୍ସି ବହୁ ପ୍ରୟାସ କରୁଛି। ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କୁ ବିଭିନ୍ନ ତାଲିମ ଦିଆଯାଉଛି। ଏହାଦ୍ୱାରା ସେମାନେ ଭିକ୍ଷା ନ ମାଗି ନିଜେ କିଛି ଉପାର୍ଜନ କରି ସମ୍ମାନର ସହ ବଞ୍ଚତ୍ପାରିବେ। ମାତ୍ର ଅଧିକାଂଶ ବ୍ୟକ୍ତି କିଛିଦିନ ରହିବା ପରେ କାମ ଖୋଜିବାକୁ ଯିବାକୁ କହି ପୁଣିଥରେ ଭିକ୍ଷାବୃତ୍ତି କରୁଛନ୍ତି। ଏଭଳି ବ୍ୟକ୍ତିଙ୍କୁ ଟଙ୍କା କିମ୍ବା ଖାଦ୍ୟ ନ ଦେବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସହଜରେ ଅର୍ଥ ଏବଂ ଖାଇବା ମିଳି ଯାଉଥିବାରୁ ସେମାନେ କାମ ନ କରି ଭିକ୍ଷା ମାଗିବାକୁ ଶ୍ରେୟ ମଣୁଛନ୍ତି। ଫଳରେ ବିଏମ୍ସିର ଯୋଜନା ସଫଳ ହୋଇ ପାରୁନାହିଁ।