Categories: ଜାତୀୟ

ସୁପ୍ରିମକୋର୍ଟରୁ କେଜରିଓ୍ବାଲଙ୍କୁ ଝଟକା

ନୂଆଦିଲ୍ଲୀ,୨୮।୫: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝଯକା ଲାଗିଛି। ଜଷ୍ଟିସ ଏ ଏସ ଓକଙ୍କ ନେତୃତ୍ୱରେ ଏକ ବେଞ୍ଚ କେଜରିୱାଲଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିବା ଆବେଦନକୁ ତୁରନ୍ତ ଶୁଣିବାକୁ ମନା କରିଦେଇଛନ୍ତି। କେବଳ ଏତିକି ନୁହେଁ, ଆବେଦନ ବିଳମ୍ବରେ ଦାଖଲ ଉପରେ ମଧ୍ୟ ବେଞ୍ଚ ପ୍ରଶ୍ନ ଉଠାଇଛି।

ଜଷ୍ଟିସ ଏ ଏସ ଓକଙ୍କ ବେଞ୍ଚ କହିଛନ୍ତି ଯେ ମୁଖ୍ୟ ପ୍ରସଙ୍ଗରେ ଆଦେଶ ମେ ୧୭ରେ ସଂରକ୍ଷିତ କରାଯାଇଥିଲା। ସେହି ବେଞ୍ଚର ଜଣେ ସଦସ୍ୟ ବିଚାରପତି ଗତ ସପ୍ତାହରେ ଛୁଟିରେ ଥିଲେ। ସେତେବେଳେ ତୁମେ କାହିଁକି ଏହି ଦାବି କରିନାହଁ ବୋଲି ପ୍ରଶ୍ନ କରାଯାଇଛି। ଅବକାଶକାଳିନ ବେଞ୍ଚ କେଜରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଭିଙ୍କୁ ମୁଖ୍ୟ ବିଚାରପତିଙ୍କ ଶୁଣାଣି ପାଇଁ ଅନୁରୋଧ କରିବାକୁ କହିଥିଲେ।
ସୂଚନାଯୋଗ୍ୟ, ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ଟଙ୍କା ହେରଫେର ଅଭିଯୋଗରେ ମାର୍ଚ୍ଚ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଇଡି ଗିରଫ କରିଥିଲା। କେଜରିୱାଲ ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି। ନିକଟରେ ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ କେଜରିୱାଲଙ୍କୁ ମଇ ୧୦ ରୁ ଜୁନ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଜୁନ ୨ରେ ଆତ୍ମସମର୍ପଣ କରିବାକୁ ପଡିବ।

Share