ଭଞ୍ଜନଗର,୮ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ରେଞ୍ଜରେ ଅସୁସ୍ଥ ଥିବା ମାଈହାତୀ ବୁଧବାର ଆଖିବୁଜିଛି। ୫ଦିନ ତଳେ ହାତୀଟି ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ସେ ଦୁର୍ବଳ ହୋଇ ପଡ଼ିଥିବାରୁ ଚାଲି ପାରୁ ନ ଥିଲା। ଗତ ରବିବାର ହାତୀର ଚିକିତ୍ସା ପାଇଁ ନନ୍ଦନକାନନରୁ ଡାକ୍ତରୀ ଟିମ୍ ଆସିଥିଲେ। ଟ୍ରାଙ୍କୁଲାଇଜ୍ ମାଧ୍ୟମରେ ତାକୁ ଅଚେତ କରାଯାଇଥିଲା। ଯାଞ୍ଚ କରାଯିବାରୁ ପାଟିରେ କୌଣସି କାରଣରୁ କ୍ଷତ ସହ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରୀ ଟିମ୍ ଚିକିତ୍ସା କରିଥିଲେ। ସେମାନଙ୍କ ପରାମର୍ଶକ୍ରମେ ବନ ବିଭାଗର ତଳିଆ କର୍ମଚାରୀମାନେ ହାତୀକୁ ଔଷଧ ଦେଉଥିଲେ ମଧ୍ୟ ଆଜି ସକାଳେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଜଙ୍ଗଲରେ ପୋତି ଦିଆଯାଇଛି।