ସୁଧିରାଜ ରାଉତ
ଆମ ଗାଁ ସ୍କୁଲ୍କୁ ଦୂର ଗ୍ରାମଗୁଡ଼ିକରୁ ପିଲାମାନେ ପଢ଼ିବାକୁ ଆସୁଥିଲେ। ସେମାନଙ୍କ ଗ୍ରାମରେ ସ୍କୁଲ୍, ଭଲ ସ୍କୁଲ୍ ଥିବା ସତ୍ତ୍ୱେ ଅଭିିଭାବକମାନେ ଆମ ଗାଁ ସ୍କୁଲକୁ ତାଙ୍କ ପିଲାଙ୍କୁ ପଠାଉଥିଲେ କେବଳ ଏଇଥିପାଇଁ ବିନ ସାର୍ ଏ ସ୍କୁଲ୍ ପ୍ରଧାନଶିକ୍ଷକ। ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବହୁ ଶିକ୍ଷକଙ୍କ ସମ୍ପର୍କରେ ଆସିବା ପରେ ବିନ ସାର୍ ଏଭଳି କୌଣସି ପୁରସ୍କାର ପାଇନାହାନ୍ତି ବୋଲି ସାମାନ୍ୟ ଅବସୋସ ଅନୁଭବି ନାହିଁି, ଆଜି କିନ୍ତୁ ବହୁ ସାଧାରଣ ଅଥଚ ଅସାଧାରଣ ମଣିଷଙ୍କୁ ପଦ୍ମଶ୍ରୀ ପଦକ ପ୍ରାପ୍ତ ହେଉଥିବା ଦେଖି ବିନ ସାର୍ ଖୁବ୍ ମନେପଡ଼ିଲେ।
ତାଙ୍କ ଉଜ୍ଜ୍ୱଳ ମୁଖ, ତେଜୋମୟ ଦୃଷ୍ଟି, ପୃଥିବୀର ଅଗୋଚରରେ ଶିକ୍ଷକତା ଏବଂ ଶିକ୍ଷା ପ୍ରତି ତାଙ୍କର ଅସାଧାରଣ ଅବଦାନ ମନେପଡ଼ିଲା।
ସୋସିଆଲ୍ ମିଡିଆରେ ଥରେ ଅବଦୁଲ୍ କଲାମ୍ ପ୍ରଶ୍ନ କରିଥିଲେ, ଭାରତକୁ ବିଶ୍ୱରେ ଶ୍ରେଷ୍ଠ ଦେଶ ହେବାରେ ତୁମେ କିଭଳି ସାହାଯ୍ୟ କରିବ ?
ହଜାର ନୁହେଁ ଲକ୍ଷେ ଉତ୍ତର ମଧ୍ୟରୁ କଲାମ୍ ସାହାବ ଏହି ଉତ୍ତର ବାଛିଥିଲେ, ମୁଁ ଜଣେ ଶିକ୍ଷକ ହୋଇ। ଜଣେ ଶିକ୍ଷକ କେତେ ଅସାଧାରଣ ଏବଂ ଗୁରୁଦାୟିତ୍ୱର ଅଧିକାରୀ ଏହି ସହଜ କଥାରୁ ବୁଝିହେବ। ମହାନ୍ ଶିକ୍ଷାବିତ୍ ଭାସିଲି ସୁଖୋମ୍ଲିନ୍ସ କହୁଥିଲେ, ଶିକ୍ଷକର ବିବେକ ଓ ଚରିତ୍ର ଉପରେ ପ୍ରତ୍ୟେକ ପିଲାର ଭାଗ୍ୟ ନିର୍ଭରଶୀଳ ହୋଇରହିଛି। ପୁଣି କହୁଥିଲେ, ଛାତ୍ରମାନଙ୍କୁ ଜ୍ଞାନର କ୍ଷଣିକ ଆଲୋକ ଦେବା ପାଇଁ ଶିକ୍ଷକଙ୍କୁ ଆଲୋକର ସମୁଦ୍ର ବହନ କରିବାକୁ ପଡ଼ିବ। ଏଇ ଦୁଇ ଉକ୍ତିକୁ ଯେବେ ଏକ ସଙ୍ଗେ ଦେଖେ – ଯେଉଁ ଦେବସଭା ମୋ ମାନସରେ ପ୍ରକଟ ହୁଅନ୍ତି ସେ ମୋ ଗାଁ ସ୍କୁଲ୍ ପ୍ରଧାନଶିକ୍ଷକ ବିନ ସାର୍।
ସାର୍ ଭଲ ଇଂଲିଶ ପଢ଼ାନ୍ତି, ସାର୍ ନିଜେ ଏକ ଗଣିତାଗାର ; ବହି ନ ଧରି ଶହଶହ ନୁହେଁ ହଜାରେ ଗଣିତ ଡାକିପାରନ୍ତି। ସଭିଙ୍କ ଅନୁଭବ ସବୁ ପାଠ ପଢ଼ାଇବାରେ ସେ ପଟୁ ଥିଲେ। ପ୍ରାର୍ଥନା ପୂର୍ବରୁ ସ୍କୁଲର ମୁଖ୍ୟ ଫାଟକ ବନ୍ଦ ହୋଇଯାଏ।
ଯେଉଁ ପିଲାମାନେ ଏବଂ ଶିକ୍ଷକ ବିଳମ୍ବରେ ଆସନ୍ତି ସେମାନେ ସେଇଠି ଅପେକ୍ଷା କରନ୍ତି। ସୂର୍ଯ୍ୟଙ୍କର ହୁଏତ କେବେ ବିଳମ୍ବ ହୋଇପାରେ ଆସିବା, ମାତ୍ର ବିନ ସାର୍ଙ୍କ ଠିକ୍ ସମୟରେ ସ୍କୁଲ୍ ପହଞ୍ଚିବା କେବେ ବିଳମ୍ବ ହୋଇନି। ସାର୍ ପ୍ରାର୍ଥନା ପରେ ପୂର୍ବଭଳି ନିଜ ସ୍ଥାନରେ ଠିଆ ହୋଇଥାନ୍ତି, ପିଲାମାନେ ଶ୍ରେଣୀଗୃହକୁ ଚାଲିଯାଆନ୍ତି ଏବଂ ଯେଉଁ ପିଲାମାନେ ଗତକାଲି ସ୍କୁଲ୍ ଆସି ନ ଥିଲେ ସେମାନେ ଲାଇନକରି ଠିଆ ହୁଅନ୍ତି। ପିଅନ ଧାଇଁଯାଇ ମୁଖ୍ୟ ଫାଟକ ଫିଟାଇଦିଏ। ସାର୍ ସେଇଠି ଠିଆହୋଇ ବିଳମ୍ବରେ ଆସିଥିବା ସଭିଙ୍କ ପ୍ରତି ଦୃଷ୍ଟି ପକାନ୍ତି। ଏହା ନିଶ୍ଚିତ ସେ ଦୃଷ୍ଟିରେ ଏତିକି ସାମର୍ଥ୍ୟ ଥାଏ ବିଳମ୍ବରେ ଆସିଥିବା ଛାତ୍ର ଏବଂ ଶିକ୍ଷକ କେହିବି ଆଗାମୀ ଦିନରେ ଆଉ ବିଳମ୍ବରେ ଆସିବାକୁ ସାହସ ଜୁଟାଇ ପାରିବେ ନାହିଁ ଏବଂ ନିଜ ମଧ୍ୟରେ ଏକ ନୈତିକ ଚାପ ଅନୁଭବିବେ ଠିକ୍ ସମୟରେ ସ୍କୁଲରେ ପହଞ୍ଚିବାକୁ । ଏହାପରେ ଗତକାଲି ସ୍କୁଲ୍ ଆସି ନ ଥିବା ଛାତ୍ରୀଛାତ୍ରମାନେ ବିନ ସାର୍ଙ୍କ ସମୀପରେ ଠିଆହୋଇ,ତାଙ୍କ ଅନ୍ତର୍ଭେଦୀ ଚକ୍ଷୁ ଦୁଇକୁ ଚାହିଁ ନ ଆସିବାର କାରଣମାନ କହନ୍ତି ।
ତମାମ୍ ବର୍ଷ, ପ୍ରତିଦିନ ଏହା ଘଟେ। ଏହାର ପରିଣାମ ସ୍ବରୂପ ଦୀର୍ଘ ଚାଳିଶ ବର୍ଷ ତଳେ ଗୋଟିଏ ନିପଟ ମଫସଲ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତି ହାର ସର୍ବାଧିକ ୨-୩ ମଧ୍ୟରେ ସୀମିତ ରହୁଥିଲା।
ପ୍ରତି ସୋମବାର ବିନସାର୍ ପିଲାମାନଙ୍କୁ ନେଇ ଅସାଧାରଣ ପ୍ରୟୋଗଶାଳା ଗଢୁଥିଲେ। ପ୍ରାର୍ଥନା ପରେ ସାର୍ ସେଇଭଳି ଠିଆ ହୋଇ ରୁହନ୍ତି, ପ୍ରତ୍ୟେକ ପିଲା ବିନା ଶବ୍ଦରେ ଜଣେ ପରେ ଜଣେ ସେମାନଙ୍କ ଶାର୍ଟ ପ୍ୟାଣ୍ଟ ସଫା ଅଛି ଏବଂ ବୋତାମ ସବୁ ଠିକ୍ ଅଛି ଦେଖାଇବାକୁ ହୁଏ। ଦେଖାଇବାକୁ ହୁଏ ହାତ ଓ ଗୋଡ଼ର ନଖ କଟା ହୋଇଛି, ଦାନ୍ତଗୁଡ଼ିକ ସଫା ଅଛି ଏବଂ ଜିଭ ସଫା ଅଛି । ଆଜି ତାହା ଭାବି ଆଶ୍ଚର୍ଯ୍ୟ ଲାଗୁଛି, ଏହି କାର୍ଯ୍ୟ ଗୋଟିଏ ଶବ୍ଦ ବିନା ୨୦, ୨୫ ମିନିଟ୍ ମଧ୍ୟରେ ସମାପନ ହେଉଥିଲା ଏବଂ ଏହାପରେ ପଢ଼ାବେଲ୍ ବାଜୁଥିଲା।
ପ୍ରାୟ ସବୁ ଶିକ୍ଷକ ଟ୍ୟୁଶନ୍ କଲାଭଳି ବିନ ସାର୍ ସକାଳେ ଏବଂ ସଂଧ୍ୟାରେ ଦେଢ଼ ଘଣ୍ଟା ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ ବିନା ପାଉଣାରେ ପାଠ ପଢ଼ାଉଥିଲେ। ତାଙ୍କ ପକା ବାରଣ୍ଡାରେ ୪୦ ବର୍ଷତଳେ ପାଞ୍ଚଟି ଗାଁର ଆଗ୍ରହୀ ସବର୍ଣ୍ଣ, ଅସବର୍ଣ୍ଣ ପିଲା ମେଳି ହୋଇବସି ପାଠ ପଢ଼ିବାର ପବିତ୍ର ଦୃଶ୍ୟ ଆଜି ଅନୁଭବ ହେଉଛି ସତେଅବା ତାହା ଅନ୍ଧାର ମଧ୍ୟରେ ସୂର୍ଯ୍ୟୋଦୟ ଥିଲା। ତେଣୁ ଆମ ପିଲାଙ୍କ ମଧ୍ୟରେ ଛୁଆଁ, ଅଛୁଆଁର ଅଳନ୍ଦୁ କେବେ ଘର କରି ନ ଥିଲା। ପାଠପଢ଼ା ବାରଣ୍ଡାକୁ ଲାଗି ଗୋଟିଏ ପ୍ରଶସ୍ତ କୋଠରି ଥିଲା, ଯେଉଁଠି ନିକଟ ଗ୍ରାମରୁ ପାଠପଢ଼ି ଆସୁଥିବା ପିଲାମାନେ ରାତିରେ ସେଇଠି ଶୋଉଥିଲେ ଏବଂ ଅନେକ ସମୟରେ ସାନବୋଉ ହାତରନ୍ଧା ଅମୃତ ଆହାର ଖାଇବାର ସୌଭାଗ୍ୟ ପାଉଥିଲେ। ସାନବୋଉ କହିଲେ ବିନ ସାର୍ଙ୍କ ଶକ୍ତି ବା ପତ୍ନୀ । ଦଶଟି ଗାଁର ପିଲା, ବଡ଼ ସମସ୍ତେ ତାଙ୍କୁ ସାନବୋଉ ଡାକୁଥିଲେ। ବିନ ସାର୍ କେବେବି କାହାକୁ ପାଠ ପାଇଁ ମାରୁ ନ ଥିଲେ କିନ୍ତୁ ଗୋଟିଏ ଦୁଷ୍ଟାମିକୁ ବାରମ୍ବାର ପୁନରାବୃତ୍ତି କଲେ ଖୁବ୍ ମାଡ଼ ହେଉଥିଲା।
ସାର୍ଙ୍କ ମାଡରୁ ଯିଏ ଆମକୁ ଅକ୍ଳେଶରେ ରକ୍ଷା କରିପାରୁଥିଲେ ସେ କେବଳ ସାନବୋଉ ଥିଲେ। ଛାତ୍ର ଭିତର ଅନୁସନ୍ଧିତ୍ସୁ ମନୋଭାବ ପ୍ରତି ସେ ସଚେତନ ଏବଂ ସମ୍ବେଦନ ଥିଲେ।
ତାଙ୍କର ଶିକ୍ଷା ବିଦ୍ୟାଳୟ ଅବା ବହିର ପରିସୀମା ମଧ୍ୟରେ ସୀମିତ ନ ଥିଲା । ସେ ଆମକୁ ମଞ୍ଜିଟିଏ କିଭଳି ପୋତିବାକୁ ହୁଏ, ଗଛର କିଭଳି ଯତ୍ନ ନେବାକୁ ହୁଏ, ଦା’ ଟିଏ, କୋଦାଳଟିଏ, ଝାଡୁଟିଏ କିଭଳି ଧରିବାକୁ ଏବଂ ବ୍ୟବହାର କରିବାକୁ ହୁଏ ଖୁବ୍ ନିଷ୍ଠାର ସହ ଶିଖାଇଥିଲେ।
ସେ ନିଜେ ପାଇଖାନା ସଫାକରି କିଭଳି ଏହା ସଫାକରିବାକୁ ହୁଏ ଶିଖାଇଥିଲେ, ଗାଧୋଇବା ବେଳେ ଚକ୍ଷୁର ନୀରୋଗ ପାଇଁ ପାଟିରେ ପାଣି ଭରି ଆଖିରେ ଛାଟିବାକୁ ହୁଏ ଶିଖାଇଥିଲେ, ଲୁଗାପଟାକୁ ସାବୁନ୍ ମାରି କିଛି ସମୟ ଛାଡ଼ିବାକୁ ହୁଏ ଏବଂ କେଉଁ ଢଙ୍ଗରେ କାଚିବା ଠିକ୍, ନିଜେ କରି ଶିଖାଇଥିଲେ। ବିନ ସାର୍ଙ୍କ ଶିକ୍ଷା ପଢ଼ାବହିରୁ ପରିବ୍ୟାପ୍ତ ହୋଇରହିଥିଲା ସମଗ୍ର ଜୀବନକୁ । ସେ ଟଲଷ୍ଟ୍ରୟଙ୍କ ଭଳି ବୁଝିଥିଲେ, ପିଲାଟିଏ କେବଳ ଶ୍ରେଣୀଗୃହରୁ ଶିଖେନାହିଁ, ବଳକା ପୃଥିବୀରୁ ବହୁତ କିଛି ଶିଖେ। ଅନେକ ଥର ଦେଖିଛି, କେବଳ ଆମେ ପିଲା ନୁହେଁ ବଡ଼ମାନେ,ବୁଢ଼ାମାନେ କୌଣସି କାରଣରୁ ଝଗଡ଼ା, ପାଟିଗୋଳ କରୁଥିଲେ ସାର୍ଙ୍କ ଆସିବା ଦେଖିଲେ ସବୁ ଶାନ୍ତ ହୋଇଯାଉଥିଲା। ତାଙ୍କ ବ୍ୟକ୍ତିତ୍ୱ ବହୁ ଉପଦେଶଠାରୁ ଅସାଧାରଣ ଭାବେ ପ୍ରଭାବଶାଳୀ ଥିଲା।
ଭୂଗୋଳ ପୋଥିପତ୍ରରେ ପଛେ ନ ଥାଉ ତା’ର ନଁାଟି /ଛୋଟ ମୋର ଗାଁ ଟି … ଭଳି ଇତିହାସରେ, ବିଶ୍ୱ ଶିକ୍ଷା ବାତାୟନରେ ବିନ ସାର୍ଙ୍କ ନାମ ନ ଥିଲେ ବି ତାଙ୍କ ଅନନ୍ୟ ଅବଦାନ ଆମ ଜ୍ଞାତ, ଅଜ୍ଞାତରେ ସମଗ୍ର ଶିକ୍ଷା ଆନ୍ଦୋଳନ ପାଇଁ ଅସାଧାରଣ ପ୍ରେରଣାର ସ୍ପନ୍ଦନ ହୋଇ ରହିବ।
ଇନ୍ଦ୍ରାବତୀ, ନବରଙ୍ଗପୁର,
ମୋ: ୯୮୬୧୯୬୯୬୭୮