ଅହମଦାବାଦ,୩୦।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ଲାଗି ଶନିବାର ଏକ କମିଟି ଗଠନ କରିଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ କମିଟି ଗଠନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଗ୍ଭି କହିଛନ୍ତି। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୩ରୁ ୪ ଜଣ ସଦସ୍ୟ ରହିବେ ବୋଲି କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି। ପୂର୍ବରୁ ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶ ସରକାର ୟୁସିସି ଲାଗୁ କରିବା ନିମନ୍ତେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏକମାତ୍ର ରାଜ୍ୟ ଗୋଆରେ ସମାନ ନାଗରିକ ସଂହିତା ଲାଗୁ ହୋଇଛି। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ କାର୍ଯ୍ୟକାରୀ କରିବା ନିମନ୍ତେ ସମାନ ନାଗରିକ ସଂହିତା ଏକ ପ୍ରସ୍ତାବ।