ଜଣେ ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ

ବୁଗୁଡ଼ା,୧୭ା୭(କାଳି ଚରଣ ଦାଶ): ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ – ଏହି ନାରା ଦେଇ ସରକାର ୫-ଟି ସ୍ମାର୍ଟ ସ୍କୁଲ ଆଳରେ ସ୍କୁଲଗୁଡ଼ିକର ରଙ୍ଗ ବଦଳାଇ ଚକାଚକ୍‌ କରିଥିଲେ। ହେଲେ ବୁଗୁଡ଼ା ବ୍ଲକର ଅନେକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ ଆବଶ୍ୟକ ଶିକ୍ଷାଦାନରୁ ବଞ୍ଚିତ ହୋଇ ଛାତ୍ରୀଛାତ୍ର ହତାଶ ହୋଇ ପଡ଼ିଥିବା ବେଳେ ଅଭିଭାବକ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ରହିଥିବା ୨୭ଟି ସରକାରୀ ହାଇସ୍କୁଲ ମଧ୍ୟରୁ ଅଧିକାଂଶରେ ଶିକ୍ଷକ ମରୁଡି ଦେଖାଦେଇଥିବା ବେଳେ ଦୁର୍ଦ୍ଦଶାର ଶୀର୍ଷରେ ରହିଛି ତାଳଶାକର ଗ୍ରାମସ୍ଥ ମହାମାୟୀ ଉଚ୍ଚ ବିଦ୍ୟାଳୟ। ଏହି ଉଚ୍ଚ ବିଦ୍ୟାଳୟ ୧୯୮୬ରେ ପ୍ରତିଷ୍ଠା ହୋଇଥିବା ବେଳେ ଏହା ୧୯୯୬ରେ ସରକାରୀ ସ୍ବୀକୃତି ଲାଭ କରିଥିଲା। ଏହି ହାଇସ୍କୁଲରେ ବିଦ୍ୟାଳୟରେ କେବଳ ୨ଟି ଶ୍ରେଣୀ ରହିଥିବା ବେଳେ ନବମରେ ୭୩ ଜଣ ଓ ଦଶମରେ ୭୨ ଜଣ ହିସାବରେ ମୋଟ ୧୪୫ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନ ଶିକ୍ଷକ ଜଣକ ଏକୁଟିଆ ହେତୁ ଦୁଇଟିଯାକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଗୋଟିଏ କକ୍ଷରେ ବସାଇ ନିଜର ବିଜ୍ଞାନ ଓ ଗଣିତ ବିଷୟକୁ ପଢ଼ାଉଛନ୍ତି। ଏଠାରେ ୨ ବିଜ୍ଞାନ ଟିଜିଟି, ୨ କଳା ଟିଜିଟି, ସଂସ୍କୃତ, ହିନ୍ଦୀ ଓ ପିଇଟି ପଦବୀ ଖାଲିପଡିଛି। ଆବଶ୍ୟକ ଶିକ୍ଷକ ଅଭାବ ଯୋଗୁ ଅନ୍ୟ ବିଷୟଗୁଡିକ ପଢାଯାଉ ନ ଥିବାରୁ ଛାତ୍ରୀଛାତ୍ର ସ୍କୁଲକୁ ଆସି ବିରକ୍ତ ହୋଇ ଫେରୁଛନ୍ତି। ଶିକ୍ଷକ ମରୁଡି ଯୋଗୁ ଶିକ୍ଷାଦାନ ବ୍ୟବସ୍ଥା ପୂରାପୂରି ଭୁଶୁଡି ଯାଇଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ ଶିକ୍ଷା ବିଭାଗ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାହାର ସୁଫଳ କିଛି ମିଳୁନାହିଁ। ତେଣୁ ତୁରନ୍ତ ଉକ୍ତ ସ୍କୁଲରେ ଶିକ୍ଷକ ଯୋଗାଇ ଦେବା ପାଇଁ ତାଳଶାକର ଗ୍ରାମବାସୀ ଦାବି କରିଛନ୍ତି। ତେବେ ବ୍ଲକର ଯେଉଁ ହାଇସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି ସେଠାକୁ ଅନ୍ତତଃ ଜଣେ ଶିକ୍ଷକଙ୍କୁ ଶୀଘ୍ର ପଠାଇବା ନିମନ୍ତେ ଉଦ୍ୟମ ଜାରି ରହିଥିବା ନେଇ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର କହିଛନ୍ତି।