ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ କାମୁଡ଼ିଲା ସାପ

ଆନନ୍ଦପୁର(ଉମେଶ ଚନ୍ଦ୍ର ପାଢ଼ୀ/ସୁଶାନ୍ତ କୁମାର ସାହୁ)/ରାମଚନ୍ଦ୍ରପୁର(ଗଣେଶ୍ୱର ସା), ୯ା୮:କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଯାଇଛି। ବୁଧବାର ବିଳମ୍ବିତ ରାତିରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚିତି ସାପ କାମୁଡ଼ି ଥିବା ଜଣାପଡ଼ିଛି। ଆହତ ଯୁବକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝୀ ଚମ୍ପିଆ। ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ମାଝୀଙ୍କ ବଡ଼ ମା’ ପେଲଙ୍ଗ ମୁଣ୍ଡା ଅସୁସ୍ଥ ଥିବାରୁ ବୁଧବାର ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ରାତିରେ ବଡ ମା’ ରହୁଥିବା ୱାର୍ଡ ସମ୍ମୁଖ ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ବିଷଧର ଚିତି ସାପ ତାଙ୍କ ହାତକୁ କାମୁଡ଼ି ଦେଇଥିଲା। ପରେ ସେ ପିନ୍ଧି ଥିବା ପ୍ୟାଣ୍ଟ ଭିତରେ ପଶିଯାଇଥିଲା। ମାଝୀ ଚିତ୍କାର କରିବାରୁ ପାଖରେ ଥିବା ସୁରକ୍ଷାକର୍ମୀଙ୍କ ସହ ଲୋକେ ପହଞ୍ଚତ୍ ସାପକୁ ତାଙ୍କ ପ୍ୟାଣ୍ଟ ଭିତରୁ ବାହାର କରିଥିଲେ। ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ମାଝୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ମେଡ଼ିକାଲ ପକ୍ଷରୁ କୁହାଯାଇଛି। ଘଟଣାର ଅଧଘଣ୍ଟା ପରେ ଆଉ ଗୋଟିଏ ସାପ ମହିଳା ୱାର୍ଡର ଅନ୍ୟ ପାର୍ଶ୍ୱରେ ବାହାରିଥିଲା। ଯାହାକୁ ନେଇ ରୋଗୀଙ୍କ ସମେତ ରୋଗୀ ସମ୍ପର୍କୀୟ ଭୟଭୀତ ହୋଇ ରାତି ଅନିଦ୍ରା ହୋଇ ଜଗି ରହିଥିଲେ। ସାପକୁ କେହି ମାରିଦେଇଥିବା କୁହାଯାଉଥିବା ବେଳେ ଘଟଣା ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏଥିସହ ମେଡିକାଲର ଚାରିପାଖ, ଭିତର ଠିକ୍‌ ଭାବେ ସଫା ହେଉ ନ ଥିବା ଅଭିଯୋଗ ହେଉଛି। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଧିକାରୀ ଧନେଶ୍ୱର ସେଠୀ କହିଛନ୍ତି, ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। କେମିତି ସାପ ଆସିଲା ଜଣାନାହିଁ। ଘଟଣା ପରେ ଆହୁରି କଡାକଡ଼ି ଭାବେ ସଫେଇ କରିବା ସହ ମେଡ଼ିକାଲ ସ୍ବଚ୍ଛତା ରଖିବାକୁ କର୍ମଚାରୀଙ୍କୁ କହିଛି। ସାପ କମୁଡ଼ିଥିବା ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ସୁସ୍ଥ ଅଛନ୍ତି।