ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ କାମୁଡ଼ିଲା ସାପ, ଚାଲିଗଲା ଦୁଇ ଜୀବନ

ଅମ୍ବାଭୋନା,୨ା୮(ଛନ୍ଦାଚରଣ ପ୍ରଧାନ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ସାପ କାମୁଡ଼ାରେ ଭଉଣୀ-ଭାଇଙ୍କ ଜୀବନ ଯାଇଛି । ମୃତକ ଦ୍ୱୟ ହେଲେ, ଉକ୍ତ ଗ୍ରାମର ଅର୍ଜୁନ ତିହିରିଆ(୩୫) ଏବଂ ଭଉଣୀ ସୀତୟା ତିହିରିଆ(୩୩)। ଏ ନେଇ ଅମ୍ବାଭୋନା ଥାନାରେ ୧୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ପ୍ରକାଶ ଯେ, ମଙ୍ଗଳବାର ରାତିରେ ପରିବାର ଲୋକେ ଖାଇ ସାରି ଶୋଇଥିଲେ। ତେବେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ପ୍ରଥମେ ଅର୍ଜୁନଙ୍କୁ କାମୁଡ଼ିଥିଲା। ସାପକୁ ଧରି ସେ ଫୋପାଡ଼ି ଦେଇଥିଲେ। ଦୁର୍ଭାଗ୍ୟବଶତଃ ସାପଟି ଭଉଣୀ ସୀତୟାଙ୍କ ଉପରେ ପଡ଼ିଥିଲା ଏବଂ ତାଙ୍କୁ ମଧ୍ୟ ସେହି ସାପ କାମୁଡ଼ିଥିଲା। ଏହାପରେ ସେମାନେ ପ୍ରଥମେ ଝଡ଼ାଫୁଙ୍କା କରିଥିଲେ ଏବଂ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ପରିବାର ଲୋକେ ସେମାନଙ୍କୁ ପ୍ରଥମେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅର୍ଜୁନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୀତୟାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ସୀତୟା ବିବାହିତା ଏବଂ ସେ କିଛିଦିନ ହେବ ବାପଘରକୁ ବୁଲିବାକୁ ଆସିଥିଲେ। ସାପ କାମୁଡ଼ାରେ ଉଭୟ ଭଉଣୀ-ଭାଇଙ୍କ ମୃତ୍ୟୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share