Categories: ମେଟ୍ରୋ

ମନଇଚ୍ଛା ଧରି ପାରିବେନି ସାପ

ଭୁବନେଶ୍ୱର,୧୦।୮(ଅନିଲ ଦାସ)ରାଜ୍ୟରେ ସାପ କାମୁଡ଼ାରେ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଯାଉଛି। ସାପଗୁଡ଼ିକ ଜନବସତିକୁ ପଶି ଆସୁଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଗତ କିଛିଦିନ ହେବ ରାଜ୍ୟରେ ସାପ ଆତଙ୍କ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସାପ ଧରିବା ଓ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ସାପଧରାଳିମାନଙ୍କୁ ଏଥିପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରୁ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ-୧୯୭୨ର ସେକ୍ସନ-୧୧ ଅନୁଯାୟୀ ତାଲିମ ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ସେମାନଙ୍କ ପାଇଁ ୨ ଦିନିଆ ତାଲିମକୁ ବାଧ୍ୟତାମୂଳକ କରାଯାଇଛି। ଏହି ସାର୍ଟିଫିକେଟ ୫ ବର୍ଷ ପାଇଁ ବୈଧ ରହିବ। ତାଲିମ ପରେ ଡିଏଫ୍‌ଓ ସାର୍ଟିଫିକେଟ ପ୍ରଦାନ କରିବେ। ଯଦି କୌଣସି ତାଲିମପ୍ରାପ୍ତ ସାପଧରାଳି ବେଆଇନ କାର୍ଯ୍ୟରେ ଲିପ୍ତ ରହିବେ ତେବେ ତାଙ୍କ ସାର୍ଟିଫିକେଟକୁ ରଦ୍ଦକରି ଦିଆଯିବ। ସରକାରୀ ସ୍ବୀକୃତିପ୍ରାପ୍ତ ସାପଧରାଳିଙ୍କ ନାମ ଜଙ୍ଗଲ ବିଭାଗ ଓ୍ବେବ୍‌ସାଇଟରେ ପ୍ରକାଶ କରାଯିବ। ଏଥିସହିତ ବିଭିନ୍ନ ଜିଲା ଓ ପୌରାଞ୍ଚଳରେ ମଧ୍ୟ ଏ ନେଇ ସୂଚନା ପ୍ରଦାନ କରାଯିବ। ତାଲିମପ୍ରାପ୍ତ ସାପଧରାଳି ବିଭିନ୍ନ ଅଞ୍ଚଳରୁ ଆସୁଥିବା ପ୍ରକୃତ କଲ୍‌ଗୁଡ଼ିକୁ ଗ୍ରହଣ କରି ସାପ ଧରିବାରେ ସହାୟତା କରିବେ। ଯେଉଁଠୁ କଲ୍‌ ଆସିବ ସାପ କାମୁଡ଼ିବା କିମ୍ବା ଏଥିଯୋଗୁ ମୃତ୍ୟୁ ବିଷୟରେ ସାପଧରାଳି ସେମାନଙ୍କୁ ସରକ୍ଷା ସମ୍ପର୍କରେ କି ପଦକ୍ଷେପ ନେବେ ତାହା ଜଣାଇବେ। ଯଦି ସାପ କାହାର କ୍ଷତି କରି ନ ଥିବ ତେବେ ତାକୁ ଧରିବାକୁ ଉଦ୍ୟମ ନ କରିବାକୁ କୁହାଯାଇଛି। ଯଦି ସାପ ପ୍ରାକୃତିକ ଆବାସସ୍ଥଳୀରେ ରହିଛି ତେବେ ତାକୁ ହଇରାଣ ନ କରିବାକୁ ପରାମର୍ଶ ଦିଆଯାଇଛି। ସାପକୁ କେଉଁଠି ଛଡ଼ାଯିବ ଓ ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ଦାୟିତ୍ୱ କ’ଣ ରହିବ ସେ ନେଇ ଗାଇଡ୍‌ଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବିଭାଗରୁ ସାର୍ଟିଫିକେଟ ପାଇଥିବା ସାପଧରାଳିଙ୍କ ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ) ପକ୍ଷରୁ ଦିଆଯାଉଥିବା ଗ୍ରୁପ୍‌ ଇନ୍‌ସ୍ୟୁରାନ୍ସରେ ସାମିଲ କରାଯିବ। ସାପ ଧରିବା ପାଇଁ ଓସ୍‌ଡମା ପକ୍ଷରୁ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ବର୍ଷରେ ରାଜ୍ୟରେ ୬୩୫୧ ସାପ କାମୁଡ଼ା ଘଟଣା ହୋଇଛି।

Share