Categories: ଜାତୀୟ

ଛୁଟିରେ ଥିବା ସେନା ଯବାନ ନିଖୋଜ

ଶ୍ରୀନଗର,୩୧ା୭: ଦକ୍ଷିଣ କଶ୍ମୀରର କୁଲ୍‌ଗାମ ଜିଲାର ଅସ୍ଥାଲ ଅଞ୍ଚଳରୁ ଜଣେ ସେନା ଯବାନ ଶନିବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଛନ୍ତି। ଯବାନଙ୍କ ନାଁ ଜାଭେଦ୍‌ ଅହମଦ ଓ୍ବାନି ଓ ଘର ଅସ୍ଥାଲରେ। ସେ ଲଦାଖରେ ଲେହରେ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫ୍ୟାଣ୍ଟ୍ରି ରେଜିମେଣ୍ଟରେ ଜଣେ ରାଇଫଲ ମ୍ୟାନ୍‌ ଭାବେ ଅବସ୍ଥାପିତ ହୋଇଥିବାବେଳେ ଇଦ୍‌ଠାରୁ ଛୁଟିରେ ଘରକୁ ଆସିଥିଲେ। ସୋମବାର ସେ ଡ୍ୟୁଟିକୁ ଫେରିଥାନ୍ତେ। ସେ ଗତ ସନ୍ଧ୍ୟାରେ ତାଙ୍କ କାର୍‌ରେ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଚାଓ୍ବଲଗାମ୍‌ ଯାଇ ଆଉ ଫେରି ନ ଥିଲେ।

ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କ କାର୍‌କୁ ବଜାର ନିକଟରେ ପାଇଥିଲେ। କାର୍‌ରେ ରକ୍ତ ଛିଟା ଲାଗିଥିବା କୁହାଯାଉଛି। ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଇଛି। ପୁଅଙ୍କୁ ଫେରାଇ ଆଣିବା ପାଇଁ ତାଙ୍କ ମାଆ ଏକ ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି। ଯଦି ତାଙ୍କ ପୁଅ କିଛି ଭୁଲ କରିଥାଏ, ତେବେ କ୍ଷମା କରିଦେବାକୁ ମାଆ କହିଛନ୍ତି। ଯବାନଙ୍କୁ ଖୋଜି ବାହାର କରିବା ଲାଗି ବ୍ୟାପକ ତଲାସି ଅଭିଯାନ ଚାଲିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share