ଶିକାରୀଙ୍କୁ ଧରୁଛି ସ୍ବତନ୍ତ୍ର କ୍ୟାମେରା

ଭୁବନେଶ୍ୱର, ୯ା୪(ଅସମାପିକା ସାହୁ):ଓଡ଼ିଶା ଜଙ୍ଗଲରେ ଶିକାର ବନ୍ଦ ପାଇଁ ଅଣ୍ଟା ଭିଡିଛି ବନ ବିଭାଗ। ଶିମିଳିପାଳ ଓ କୁଲଡିହାରେ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ବିଳମ୍ବରେ ହେଲେ ବି ବିଭାଗର ନିଦ ଭାଙ୍ଗିଛି। ଶିକାରୀଙ୍କୁ ଧରିବାକୁ ତତ୍ପରତା ଦେଖାଇଛି। ଚଢ଼ାଉକୁ ଜୋର୍‌ଦାର କରାଯାଇଥିବାବେଳେ ଶିକାରୀଙ୍କୁ ଚିହ୍ନଟ ସହ ଗିରଫ କରିବାକୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନେଇଛି। ଜଙ୍ଗଲରେ ସ୍ବତନ୍ତ୍ର ଇନ୍‌ଫ୍ରାରେଡ୍‌ (ଆଇଆର୍‌) କ୍ୟାମେରା ଖଞ୍ଜାଯାଇଛି। ଏହି କ୍ୟାମେରା ବିନା ଫ୍ଲାସ୍‌ରେ ଶିକାରୀର ଫଟୋ ଉଠାଉଛି। ଏପରିକି ଶିକାରୀଙ୍କ ଅଜାଣତରେ ସମ୍ପୂର୍ଣ୍ଣ ଫଟୋ ନେଇପାରୁଛି। ପରେ ଏଆଇ ସହାୟତାରେ ଏହାର ସ୍ପଷ୍ଟ ଫଟୋ ପ୍ରସ୍ତୁତ କରାଯାଉଛି। ଗତ କିଛିଦିନ ମଧ୍ୟରେ ଏଆଇ ମାଧ୍ୟମରେ ଶିମିଳିପାଳ ଅଭୟାରଣ୍ୟରୁ ଏକାଧିକ ଶିକାରୀ ଧରାପଡ଼ିଛନ୍ତି। ଆଗକୁ କୁଲଡିହା ଏବଂ ସାତକୋଶିଆରେ ଆଇଆର୍‌ ଲଗାଯିବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ବନ କର୍ମଚାରୀଙ୍କୁ ଗୁଳି କରାଯିବା ପରେ ଅନେକ ଶିକାରୀଙ୍କୁ ଗିରଫ କରାଯାଇଛି। ଆଗକୁ ଏକ୍ସ ଆର୍ମି ଅଫିସରଙ୍କୁ କୁଲଡିହାରେ ନିୟୋଜିତ କରାଯିବ। ସାତକୋଶିଆ ପାଇଁ ସ୍ବତନ୍ତ୍ର ଜେଟିଏଫ୍‌ ଗଠିତ ହୋଇଛି। ଶିକାରୀଙ୍କୁ ଜଗିବା ପାଇଁ ଚନ୍ଦକାରେ ୭ଟି ୱାଚ୍‌ ଟାୱାର ତିଆରି ହୋଇଛି। ଏହାସହ ଶୀଘ୍ର ଏକ୍ସ ଆର୍ମି ଟିମ୍‌ ନିୟୋଜିତ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଗଜପତିରୁ ଏକାଥରକେ ୫ ବାଘଛାଲ ଜବତ ଘଟଣା ବଡ଼ ସଫଳତା ବୋଲି ବନ ବିଭାଗ କହୁଛି। କିନ୍ତୁ ଶିକାର ବନ୍ଦ ହେଉ ନ ଥିବାରୁ ନାନା ପ୍ରଶ୍ନ ଉଠୁଛି। ଏ ନେଇ ପିସିସିଏଫ୍‌ କହିଛନ୍ତି, ରାଜ୍ୟରେ କେଉଁଠି ଶିକାର ହେଉଛି ଏବଂ କେଉଁଠାକୁ ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଯାଉଛି, ତାହା ଜାଣିବା ପାଇଁ ଆମେ କେବେଠାରୁ ପ୍ରକ୍ରିୟା ଆରମ୍ଭ କରିଛୁ। ରବିବାର ପାରଳାଖେମୁଣ୍ଡିରୁ ଜବତ ଘଟଣା କିଛିମାତ୍ରାରେ ଆମକୁ ସହାୟତା କରିବ। ତେବେ ତାହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତେବେ ରାଜ୍ୟ ବାହାରକୁ ବନ୍ୟପ୍ରାଣୀ ଓ ଏହାର ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ନେଇ ବଡ଼ ର଼୍ୟାକେଟ ସକ୍ରିୟ ଥିବା ଜଣାପଡିଛି। ଏବେ ବି କିଙ୍ଗ୍‌ପିନ୍‌ ଫେରାର ଅଛନ୍ତି। ସମସ୍ତ ଶିକାରୀ ଓ ର଼୍ୟାକେଟର କିଙ୍ଗପିନ୍‌ଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି। ଦକ୍ଷିଣ-ପୂର୍ବ ଭାରତରେ ବାଘ ହାଡ଼ ଓ ଚର୍ବିରୁ ପ୍ରସ୍ତୁତ ତେଲର ଚାହିଦା ରହିଛି। ଏ ଦିଗରେ ବି ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଦିନକୁ ଦିନ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଜଙ୍ଗଲରେ ଅବାଧରେ ପ୍ରବେଶ କରି ଆତଙ୍କ ଖେଳାଉଛନ୍ତି। କେତେବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କଲେଣି ତ’ ଆଉ କେତେବେଳେ ଜଙ୍ଗଲୀ ବନ୍ୟଜନ୍ତୁଙ୍କୁ ଶିକାର କରି ବାହାରକୁ ଚୋରା ଚାଲାଣ କରୁଛନ୍ତି। ତେଣୁ ଏନେଇ ବନ ବିଭାଗ ପକ୍ଷରୁ କୋମ୍ବିଂ ଆରମ୍ଭ ହୋଇଛି। ଏହି ଅଭିଯାନରେ ୨୧ ଜଣ ଶିକାରୀ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି।

Share