ଗଙ୍ଗା ଯାତ୍ରାର ସହଯାତ୍ରୀ ଚିତ୍ତରଞ୍ଜନ ଭୋଇ, ଅସ୍ଥି ବିସର୍ଜନ ପାଇଁ ଯିବାକୁ ଚାହୁଁଥିଲେ ପଡ଼ନ୍ତି ଖୋଜା

ସମ୍ବଲପୁର,୧୬ା୧୧ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଚିତ୍ତରଞ୍ଜନ ଭୋଇ। ବୟସ ୫୯ ହେବ। ବୃତ୍ତିରେ ସେ ଜଣେ ବିଡି ମୁନ୍‌ସି। ହେଲେ ଧାର୍ମିକ କାମରେ ନିଃସ୍ବାର୍ଥପର ସହଯୋଗ ପାଇଁ ସେ ବେଶ୍‌ ପରିଚିତ। ବିଶେଷ କରି ଯଦି କେହି ଅସ୍ଥି ବିସର୍ଜନ ପାଇଁ ଗଙ୍ଗାକୁ ଯିବାକୁ ଚାହାନ୍ତି ତା’ହେଲେ ଚିତ୍ତରଞ୍ଜନଙ୍କୁ ଖୋଜିଥାନ୍ତି। ଗତ ୨୦ବର୍ଷ ଭିତରେ ସେ ଅନ୍ୟ ଲୋକଙ୍କ ଅସ୍ଥି ବିସର୍ଜନ ପାଇଁ ତାଙ୍କ ସମ୍ପର୍କୀୟଙ୍କ ସହ ୨୭ଥର ଗଙ୍ଗାକୁ ଯାଇ ସାରିଲେଣି। ଏହି କାମକୁ ସେବା ଭାବେ ଗ୍ରହଣ କରିଥିବାରୁ ସେ କାହାରିଠାରୁ କେବେ ଅର୍ଥ ଦାବି କରିନାହାନ୍ତି।

୨୦ବର୍ଷ ପୂର୍ବରୁ ଚିତ୍ତରଞ୍ଜନ ନିଜ ମା’ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ ଯିବା ସମୟରେ ଜଣାଶୁଣା ଲୋକଙ୍କ ସାହାଯ୍ୟ ଖୋଜିଥିଲେ। ଏହି ସମୟରେ ଗାଁର ଚିତ୍ତରଞ୍ଜନ ପ୍ରଧାନ ତାଙ୍କୁ ସାଥିରେ ନେଇ ଯାଇଥିଲେ। ବିନା କୌଣସି ସମସ୍ୟାରେ ସେ ତାଙ୍କ ସହଯୋଗରେ ମା’ବାପାଙ୍କ ଅସ୍ଥି ବିସର୍ଜନ କରି ଘରକୁ ଫେରିଥିଲେ। ଏହାପରେ ସେ ସଙ୍କଳ୍ପ କରିଥିଲେ, କେହି ଯଦି ତାଙ୍କୁ ଗଙ୍ଗାକୁ ଅସ୍ଥି ବିସର୍ଜନ ପାଇଁ ସାଥିରେ ଯିବାକୁ ସହଯୋଗ ମାଗିବେ ସେ ନିଶ୍ଚିତ ଯିବେ। ପ୍ରୟାଗରାଜ ଯାଇ ରାସ୍ତାଘାଟ ଓ ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ଜାଣିଥିବାରୁ ଗାଁର ଅନ୍ୟ ଲୋକ ତାଙ୍କୁ ସାଥିରେ ଯିବାକୁ ଅନୁରୋଧ କରିବା ପରେ ସେ ସେମାନଙ୍କୁ ସହଯୋଗ କରିଥିଲେ। ଧୀରେ ଧୀରେ ଆଖପାଖର ଲୋକେ ମଧ୍ୟ ଅସ୍ଥି ବିସର୍ଜନ ପାଇଁ ତାଙ୍କୁ ସାଥିରେ ଯିବାକୁ ଅନୁରୋଧ କରିଥିଲେ। ହେଲେ ଚିତ୍ତରଞ୍ଜନ କାହାକୁ ମନା କରନ୍ତି ନାହିଁ। ଭାଗ୍ୟରେ ଥିଲେ ଗଙ୍ଗାଦର୍ଶନ ସୁଯୋଗ ମିଳେ ଓ ମତେ ବାରମ୍ବାର ଡାକରା ମିଳୁଥିବାରୁ ନିଜକୁ ଭାଗ୍ୟବାନ ମନେକରେ ବୋଲି କୁହନ୍ତି ଚିତ୍ତରଞ୍ଜନ ଭୋଇ। ଚିତ୍ତରଞ୍ଜନଙ୍କ ପାଇଁ ଅନେକ ଲୋକ ଉପକୃତ ହୋଇପାରୁଛନ୍ତି। ବାରମ୍ବାର ପ୍ରୟାଗରାଜ ଯା’ଆସ କରୁଥିବାରୁ ସେଠାରେ ପୂଜକ, ବାରିକ ଓ ପଣ୍ଡାଙ୍କ ସହ ତାଙ୍କର ପରିଚିତ ହୋଇପାରିଛି। ତେଣୁ ଯିଏ ମଧ୍ୟ ସାଙ୍ଗରେ ଯାଆନ୍ତି ସେମାନେ ଠକେଇର ଶିକାର ନ ହୋଇ ସୁବିଧାରେ ଗଙ୍ଗାଶ୍ରାଦ୍ଧ କରିଥାଆନ୍ତି ବୋଲି ଶାଶୁ ଶ୍ୱଶୁରଙ୍କ ଅସ୍ଥି ବିସର୍ଜନ ସମୟରେ ତାଙ୍କ ସାଙ୍ଗରେ ଯାଇଥିବା ରଞ୍ଜନା ପ୍ରଧାନ କହନ୍ତି।

Share