ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ତାଣ୍ଡବ ରଚିଛି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତୃତୀୟ ଲହରରେ ଶିଶୁଙ୍କ ପ୍ରତି ଅଧିକ ବିପଦ ଥିବା ସତର୍କ ସୂଚନା ଆଧାରରେ ଦିଲ୍ଲୀ ସରକାର ସଜାଗ ରହିଛନ୍ତି। ତୃତୀୟ ଲହର କବଳରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ସ୍ବତନ୍ତ୍ର ଟାସ୍କ୍ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଏସମ୍ପର୍କରେ ବିସ୍ତୁତ ଆଲୋଚନା କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଔଷଧ, ଅକ୍ସିଜେନ୍ ଆଦି ମହଜୁଦ୍ ରଖିବା ସହିତ ହସ୍ପିଟାଲରେ ବେଡ୍ ଉପଲବ୍ଧ ଲାଗି ସରକାରଙ୍କ ପକ୍ଷରୁ ଉଚ୍ଚ ଅଧିକାରୀଙ୍କର ଏକ ଟିମ୍ ମଧ୍ୟ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।