ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌ ଷ୍ଟ୍ରୋକ୍‌ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ ଯୋଗୁ ଦେଖାଯାଉଥିବା ଅଂଶୁଘାତ ତଥା ଅନ୍ୟାନ୍ୟ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଏମ୍ସରେ ଏହି ଉତ୍ସର୍ଗୀକୃତ ୟୁନିଟ୍‌ କାର୍ଯ୍ୟ କରିବ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଏନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆପତ୍ତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଏମ୍ସ ଭୁବନେଶ୍ୱର ସ୍ବତନ୍ତ୍ର ହିଟ୍‌ ଷ୍ଟ୍ରୋକ୍‌ ୟୁନିଟ୍‌ ବିଶେଷ ସହାୟକ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଆବଶ୍ୟକୀୟ ଚିକିତ୍ସା ସୁବିଧା ସହିତ ବିଭିନ୍ନ ବିଭାଗର ଡାକ୍ତରଙ୍କ ପକ୍ଷରୁ ଏହି ୟୁନିଟ୍‌ରେ ସେବା ପ୍ରଦାନ କରାଯିବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ସେହିପରି ପ୍ରଖର ଖରାରେ ନିହାତି ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି। ଜରୁରୀ ପରିସ୍ଥିତିରେ ଦିନବେଳା ବାହାରକୁ ଯିବା ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଯେପରିକି ସାଙ୍ଗରେ ଛତା, ଓଦା ଗାମୁଛା କିମ୍ବା ଟାଓ୍ବେଲ ଏବଂ ପାଣି ବୋତଲ ଭଳି ସାମଗ୍ରୀ ନେବାକୁ ଡ. ବିଶ୍ବାସ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ଆୟୁଷ ବିଭାଗରେ କାର୍ଯ୍ୟକ୍ଷମ ୬ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର ହିଟ୍‌ ଷ୍ଟ୍ରୋକ୍‌ ୟୁନିଟ୍‌ ଗତ ସପ୍ତାହରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରି ସୂଚନା ଦେଇଛନ୍ତି। ଏଯାବତ ଏମ୍ସ ଭୁବନେଶ୍ବର ପକ୍ଷରୁ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଗଲାଣି। ଜେନେରାଲ ମେଡିସିନ, ଟ୍ରମା ଏବଂ ଜରୁରିକାଳୀନ ପରିସ୍ଥିତି ଏବଂ ଆୟୁଷ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ଜରୁରିକାଳୀନ ବୈଠକରେ ଏହି ୟୁନିଟ୍‌ରେ ସଫଳ ପରିଚାଳନା କାର୍ଯ୍ୟଶୈଳୀ ପ୍ରସ୍ତୁତି ସୁନିଶ୍ଚିତ କରାଯାଇଥିଲା।
ମେଡିସିନ ବିଭାଗ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ ବେହେରାଙ୍କୁ ହିଟ୍‌ ଷ୍ଟ୍ରୋକ୍‌ ୟୁନିଟ୍‌ର ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଏହି ୟୁନିଟରେ ଆବଶ୍ୟକୀୟ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆର୍‌ଏସ୍‌ ଆଦି ଗଚ୍ଛିତ ରଖାଯାଇଛି। ସେହିପରି ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରୀ କର୍ମଚାରୀମାନେ ସଜାଗ ଅଛନ୍ତି।
ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଏମ୍ସ ଭୁବନେଶ୍ୱର ସର୍ବଦା ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ଏଥିସହିତ ଏହି ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଚଣ୍ଡ ତାତିର ଅବଧି ମଧ୍ୟରେ ଲୋକମାନେ ସେମାନଙ୍କ ସୁସ୍ଥତାକୁ ପ୍ରାଥମିକତା ଦେବା ଆବଶ୍ୟକ।

Share