Advertisement

ଏସ୍‌ପିଙ୍କୁ ଭେଟି ଆତ୍ମାହୂତି ଚେତାବନୀ

ଭଦ୍ରକ,୩୦।୬(ସନାତନ ରାଉତ): ୩ ମାସ ଧରି ତିହିଡ଼ି ଥାନା ହାଟୁଆରୀ ଗ୍ରାମର ଭଗବାନ ଦାସ ଘରେ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ୩ଟି ଥାନାରେ ୫ ମାମଲା ରୁଜୁ କରାଯାଇଥିବା ତାଙ୍କ ସ୍ତ୍ରୀ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତିହିଡ଼ି ଥାନାର ଜଣେ କନଷ୍ଟେବଲଙ୍କ ଚାପରେ ଏହି ମାମଲା ରୁଜୁ ହୋଇଥିବା ସେ କହିଛନ୍ତି। ଏପରିକି ଶହେରୁ ଅଧିକ ମାମଲା ରୁଜୁ ହେବ ବୋଲି ସେ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ତିହିଡ଼ି ଥାନା ସମ୍ମୁଖରେ ଆମତ୍ହୂତି ଦେବାକୁ ଭଗବାନଙ୍କ ସ୍ତ୍ରୀ ଗଜଲକ୍ଷ୍ମୀ ଦାସ ଚେତାବନୀ ଦେଇଛନ୍ତି।
ଗଜଲକ୍ଷ୍ମୀଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ବାମୀ ଛୋଟ ଗାଡ଼ି କରି ବାଲି, ଇଟା ବୋହି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଉକ୍ତ କନଷ୍ଟେବଲ ପ୍ରତ୍ୟେକ ମାସ ତାଙ୍କୁ ଡରାଇ ଧମକାଇ ବଟି ଆଦାୟ କରିଥାନ୍ତି। ବ୍ୟବସାୟ ଠିକ ଭାବରେ ନ ଚାଲିବାରୁ ସେ ଆଉ ବଟି ଦେଇ ନ ପାରି ତାଙ୍କ ଭୟରେ ଅନ୍ୟତ୍ର ରହୁଛନ୍ତି। ଏଥିରେ ଆକ୍ରୋଶ ରଖି ଯେଉଁ ଚୋରା କୋଇଲା ଚାଲାଣ ଗାଡ଼ି ଧରାପଡ଼ୁଛି, ସେଥିରେ ତାଙ୍କ ସ୍ବାମୀଙ୍କ ନାମକୁ ଯୋଡ଼ା ଯାଉଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଧାମରାରୁ ପରିବହନ ହେଉଥିବା ଚୋରା କୋଇଲା କାରବାରରେ ଉକ୍ତ କନଷ୍ଟେବଲ ଜଣକ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି। ତାଙ୍କର ୪ଟି ବେନାମୀ ପିକଅପ୍‌ ଭ୍ୟାନ ଚୋରା କୋଇଲା କାରବାର କରିବା ସହ ନିଜ ସୁଇଫ୍ଟ ଡିଜାୟାର କାର୍‌ ଯୋଗେ ଚୋରା କୋଇଲା ଗାଡ଼ି ଗୁଡ଼ିକୁ ସୁରକ୍ଷା ଦେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସେଥିମଧ୍ୟରୁ ନିଜେ ଗଜଲକ୍ଷ୍ମୀ ଏକ ଚୋରା କୋଇଲା ବୋଝେଇ ଗାଡ଼ି(ଓଡି ୨୨ୟୁ ୯୩୧୬)କୁ ଧରି ତିହିଡ଼ି ପୋଲିସ ଜିମା ଦେଇଥିଲେ। ଯାହାକି ଏବେ ତିହିଡ଼ି ଥାନାରେ ଅଟକ ରହିଛି। ତାଙ୍କ ପରିବାରକୁ ସୁରକ୍ଷା ଦେବା ସହ କନେଷ୍ଟବଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଜଲକ୍ଷ୍ମୀ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ, ପୂର୍ବରୁ କୋଇଲା ଚୋରା କାରବାରରେ ସମ୍ପୃକ୍ତି ନେଇ ତିହିଡ଼ି ଥାନାର ଜଣେ କନଷ୍ଟେବଲ ଗତ କିଛିଦିନ ତଳେ ଚାକିରିରୁ ନିଲମ୍ବିତ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share